ସ୍ଥଳଭାଗ ଯୁଦ୍ଧ ପାଇଁ ପ୍ରସ୍ତୁତ: ହେଜ୍‌ବୋଲ୍ଲା

ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ସୋମବାର ସଙ୍ଗଠନର ଉପମୁଖ୍ୟ ନଇମ୍‌ କାସିମ୍‌ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଇସ୍ରାଏଲ୍‌ ସ୍ଥଳଭାଗରେ ଆକ୍ରମଣ କଲେ ଏହା ସହ ଯୁଦ୍ଧ ପାଇଁ ପ୍ରସ୍ତୁତ। ନିହତ କମାଣ୍ଡରମାନଙ୍କ ସ୍ଥାନରେ ନୂଆ ଫାଇଟର୍ସଙ୍କୁ ନିଯୁକ୍ତ କରାଯାଇଛି। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଖୁବ୍‌ଶୀଘ୍ର ସଙ୍ଗଠନର ନୂଆ ମୁଖ୍ୟଙ୍କୁ ବଛାଯିବ ବୋଲି କାସିମ୍‌ ଏକ ଅଜ୍ଞାତ ସ୍ଥାନରୁ ସମ୍ବୋଧିତ କରି କହିଛନ୍ତି। ଟେଲିଭିଜନ୍‌ ବାର୍ତ୍ତାରେ ସେ ଆହୁରି କହିଛନ୍ତି, ଇସ୍ରାଏଲ୍‌ ଆମର ସାମରିକ ସାମର୍ଥ୍ୟକୁ ପ୍ରଭାବିତ କରିପାରି ନାହିଁ। ତେବେ ସ୍ଥଳଭାଗରେ ଯୁଦ୍ଧ ଆରମ୍ଭ କଲେ ଏହା ଅନେକ ଦିନ ଧରି ଚାଲିବ।
ଯେ, ପେଜର, ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ରେ ଅନେକେ ପ୍ରାଣ ହରାଇବା ସହ ରକେଟ ମାଡ଼ରେ ନସ୍‌ରଲ୍ଲା ଓ ତାଙ୍କ ବରିଷ୍ଠ କମାଣ୍ଡରମାନଙ୍କ ମୃତ୍ୟୁ ସଙ୍ଗଠନକୁ ଦୋହଲାଇ ଦେଇଛି। ୧୯୮୨ରେ ଇରାନ୍‌ ଇସ୍ରାଏଲ୍‌ ବିରୋଧରେ ହେଜ୍‌ବୋଲ୍ଲାକୁ ସୃଷ୍ଟି କରିବା ପରଠୁ ଏହା ହେଉଛି ସଙ୍ଗଠନକୁ ସବୁଠୁ ବଡ଼ ଝଟକା। ଇତିମଧ୍ୟରେ ନସ୍‌ରଲ୍ଲାଙ୍କ କାକାପୁଅ ଭାଇ ତଥା ସଙ୍ଗଠନର ରାଜନୈତିକ ବ୍ୟାପାର ବୁଝୁଥିବା ହାଶେମ୍‌ ସଫିଏଦ୍ଦିନ୍‌ଙ୍କୁ ନୂଆ ମୁଖ୍ୟ କରାଯିବା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।

ବର୍ଷେ ପୂରିବ ଗାଜା ଆକ୍ରମଣ

ସପ୍ତାହେ ପରେ ଇସ୍ରାଏଲ୍‌ର ଗାଜା ଆକ୍ରମଣକୁ ବର୍ଷେ ପୂରିବାକୁ ଯାଉଛି। ୨୦୨୩ ଅକ୍ଟୋବର ୮ରୁ ଅଦ୍ୟାବଧି ଗାଜାରେ ୪୧,୬୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯୬,୩୫୯ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ଏହାର ଦିନକ ପୂର୍ବରୁ ହମାସ୍‌ ଦ୍ୱାରା କରାଯାଇଥିବା ରକେଟ ମାଡ଼ରେ ୧,୧୩୯ ଇସ୍ରାଏଲୀ ନିହତ ହୋଇଥିଲେ। ହମାସ୍‌ ୨୦୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇଥିଲା। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଛାଡ଼ିଦେଇଛି। ଇସ୍ରାଏଲ୍‌ର ରକେଟ୍‌ ମାଡ଼ରେ ଗାଜା ଷ୍ଟ୍ରିପ୍‌ରେ ରବିବାର ୨୮ ଓ ସୋମବାର ଅନେକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ପୂର୍ବର ଲିକୁଡ୍‌ କ୍ୟାବିନେଟ୍‌ରେ ସଦସ୍ୟ ଥିବା ନିଜ ସମାଲୋଚକ ଗିଡେଓନ୍‌ ସାର୍‌ଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି।

Share