ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): ରାଜ୍ୟରେ ନକଲି ଔଷଧ କାରବାରକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରବିବାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ସେ କହିଛନ୍ତି, ଅଭିଯୋଗ ପାଇବା ପରେ କଟକର ଉକ୍ତ ନିର୍ଦ୍ଦିଷ୍ଟ ଦୋକାନ ଉପରେ ଚଢ଼ାଉ କରାଯାଇ ୧୭୦ ପେଟି ଫାଭିପିରାଭିର ଓ ୨୭ ପେଟି ଅନ୍ୟ ଔଷଧ ଜବତ କରାଯାଇଛି। ଏହାସହ ବିଭିନ୍ନ ଜିଲାରେ ଔଷଧ ଦୋକାନ ଉପରେ ନଜର ରଖିବାକୁ କୁହାଯାଇଛି। ସବୁଠି ଯାଞ୍ଚ ଚାଲିଛି। ରିପୋର୍ଟ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତବାନୀ ଦେଇଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ କଟକରୁ ନକଲି ଔଷଧ ଜବତ କରାଯାଇଥିଲା। ଏହାପରେ ଏହି ଲିଙ୍କ୍‌ରେ ରାଜ୍ୟର ବିଭିନ୍ନ ଜିଲାରେ ଥିବା ଔଷଧ ଦୋକାନରେ ଚଢ଼ାଉ କରାଯାଉଛି।
ଅନ୍ୟପକ୍ଷରେ ରାଜ୍ୟ ସରକାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ସମ୍ଭାବନା ଥିବାରୁ ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତ କରାଯାଇଛି। ଶିଶୁଙ୍କ ଚିକିତ୍ସା ଲାଗି ସ୍ବତନ୍ତ୍ର ଭାବେ ୧,୬୧୦ ସାଧାରଣ ବେଡ୍‌ ଓ ୬୧୦ ଆଇସିୟୁ ବେଡ୍‌ର ବ୍ୟବସ୍ଥା କରାଯାଇଛି। ଏଥିସହ ଶିଶୁଭବନରେ କୋଭିଡ୍‌ ୱାର୍ଡ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ସେହିପରି କୋଭିଡ୍‌ ସଂକ୍ରମିତ ନବଜାତ ଶିଶୁଙ୍କ ପାଇଁ ସ୍ବତନ୍ତ୍ର କର୍ନର ସହ ଅଧିକ ସଂକ୍ରମିତଙ୍କ ପାଇଁ କୋଭିଡ୍‌ କେୟାର ସେଣ୍ଟର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Share