Categories: ଜାତୀୟ

ଗରିବଙ୍କ ପାଇଁ ଜେଲ ଯିବାକୁ ପ୍ରସ୍ତୁତ: ମୋଦି

ଜୟପୁର,୧୮।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ଭରତପୁରରୁ ହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ମୋଦି ଭରତପୁରରୁ ଏକ ରାଜନୈତିକ ସମାବେଶକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, କଂଗ୍ରେସ ରାଜସ୍ଥାନ ମହିଳାଙ୍କ ବିଶ୍ୱାସକୁ ଭାଙ୍ଗି ଚୁରମାର କରିଦେଇଛି। ଦେଶରେ ଯେଉଁଠି ଯେଉଁଠି ବି କଂଗ୍ରେସର ସରକାର ଅଛି ସେହି ସବୁ ସ୍ଥାନରେ ଆତଙ୍କବାଦ, ଅପରାଧ ଓ ଦଙ୍ଗା ବେଲଗାମ ହେବାରେ ଲାଗିଛି।
କୋଭିଡ ସମୟକୁ ଉଦାହରଣ ଦେଇ ମୋଦି କହିଛନ୍ତି, ସାରା ଦେଶ ସେହି ସମୟରେ ଭୟଭୀତ ଥିଲା। ଏହି ସମୟରେ ମୁଁ ଗରିବର ପୁଅ ଚିନ୍ତା କରିଥିଲି ଯେ, ଗରିବ-ଦଳିତ ଓ ପଛୁଆ ଶ୍ରେଣୀଙ୍କ ଚୁଲି ନ ବନ୍ଦ ହେଉ। କୌଣସି ଶିଶୁ ଭୋକରେ ନ ରୁହନ୍ତୁ। ଏଥିପାଇଁ ଚାଉଳର ଭଣ୍ଡାର ଖୋଲି ଦେଇଥିଲି। ଏଥିପାଇଁ ଗରିବଙ୍କୁ ମାଗଣାରେ ରାଶନ ଯୋଗାଇ ଦିଆଗଲା। ଡିସେମ୍ବରରେ ମାଗଣା ରାଶନ ଯୋଜନା ଶେଷ ହେବାକୁ ଯାଉଛି ଯାହାକୁ ଆମେ ଆଉ ୫ବର୍ଷକୁ ବୃଦ୍ଧି କରିଛୁ। ଯାହାକୁ ନେଇ କଂଗ୍ରେସ ଘାବରେଇ ଯାଇଛି। କଂଗ୍ରେସ ମୋ ବିରୋଧରେ ନିର୍ବାଚନ ଆୟୋଗଙ୍କୁ ଏକ ବଡ ଚିଠି ପଠାଇଛି। କୋର୍ଟ ଯିବା ପାଇଁ ଧମକ ଦେଉଛି। ଯଦି ଗରିବଙ୍କ ପାଇଁ ମୋଦିଙ୍କୁ କୋର୍ଟ ଯିବାକୁ ପଡେ ତେବେ ମୁଁ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share