ଭାରତ ସହ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ: ଚାଇନା

ବେଜିଂ, ୧୮।୮(ପି.ଟି.): ରାଜନୈତିକ ଆପୋଷ ଆସ୍ଥା ବଢ଼ାଇବା ଓ ମତପାର୍ଥକ୍ୟକୁ ଦୂର କରିବା ତଥା ଦ୍ୱିପାକ୍ଷିକ ସମ୍ପର୍କର ଦୀର୍ଘମିଆଦୀ ବିକାଶ ବଜାୟ ରଖିବା ଲାଗି ଭାରତ ସହିତ ଏକାଠି କାର୍ଯ୍ୟ କରିବାକୁ ଚାଇନା ପ୍ରସ୍ତୁତ ବୋଲି ସୋମବାର କହିଛି। ଦେଶର ସାର୍ବଭୌମତ୍ୱ ପ୍ରତି ଯେଉଁମାନେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ସେମାନଙ୍କୁ ଭାରତୀୟ ସେନା ଉପଯୁକ୍ତ ଜବାବ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅଭିଭାଷଣ କହିଥିଲେ। ଏହା ଉପରେ ଚାଇନାର ପ୍ରତିକ୍ରିୟା ସମ୍ପର୍କରେ ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଜିଜିଆନଙ୍କୁ ପ୍ରଶ୍ନ କରାଯିବାରୁ ସେ ଉପରୋକ୍ତ ମତ ରଖିଛନ୍ତି। ୭୪ତମ ସ୍ବାଧୀନତା ଦିବସରେ ଲାଲ୍‌କିଲାରୁ ଉଦ୍‌ବୋଧନ ଦେଇ ମୋଦି କହିଥିଲେ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଯାଏ କେହି ଯଦି ଦେଶର ସାର୍ବଭୌମତ୍ୱ ଉପରେ ଆଖି ପକାଏ ତେବେ ସଶସ୍ତ୍ର ବାହିନୀ ସେମାନେ ବୁଝିପାରୁଥିବା ଭାଷାରେ ଜବାବ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୋଦିଙ୍କ ଭାଷଣ ଆମ ଦୃଷ୍ଟିକୁ ଆସିଥିବା ଝାଓ କହିଛନ୍ତି। ଭାରତ ଓ ଚାଇନା ଦୁଇ ଜନବହୁଳ ପଡୋଶୀ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବା ଜରୁରୀ। ଏହା କେବଳ ଦୁଇ ଦେଶବାସୀଙ୍କ ସ୍ବାର୍ଥ ସାଧନ କରିବ ତାହା ନୁହେଁ, ଉକ୍ତ ଅଞ୍ଚଳ ସମେତ ସାରା ବିଶ୍ୱରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଆଣିପାରିବ ବୋଲି ଝାଓ କହିଥିଲେ। ସେଥିପାଇଁ ଉଭୟ ପକ୍ଷ ପରସ୍ପରକୁ ସମ୍ମାନ ଜଣାଇବା ଓ ସମର୍ଥନ ଦେବା ଉପଯୁକ୍ତ ମାର୍ଗ। ସେଥିପାଇଁ ଚାଇନା ଭାରତ ସହ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ବହିର୍ବ୍ୟାପାର ମୁଖପାତ୍ର କହିଛନ୍ତି।

Share