ଆବାସ ଯୋଜନାରୁ ବାଦ୍‌ ପଡ଼ିଛନ୍ତି ପ୍ରକୃତ ହିତାଧିକାରୀ

ନୂଆଗାଁ,୧୬।୬ (ଧନେଶ୍ୱର ସାହୁ): ଆବାସ ଯୋଜନା ମାଧ୍ୟମରେ କଚ୍ଚାଘରେ ରହୁଥିବା ପରିବାରକୁ ପକ୍କାଘରଟିଏ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇ ପ୍ରକୃତ ହିତାଧିକାରୀଙ୍କୁ ଅନୁଦାନ ଯୋଗାଇ ଦେଉଛନ୍ତି। ହେଲେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନ ଥିଲେ ମଧ୍ୟ ସରକାରଙ୍କ ଆବାସ ଯୋଜନାରୁ ବାଦ୍‌ ପଡିଛନ୍ତି ଗରିବ ଲୋକ । ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବଡଗୋଠ ପଞ୍ଚାୟତ ଡିମିରିଝରି ଗ୍ରାମରୁ ।
ନୂଆଗାଁ ବ୍ଲକ ବଡଗୋଠ ପଞ୍ଚାୟତ ଡିମିରିଝରି ଗ୍ରାମର ନବୀନ ନାୟକ ଭୁବନେଶ୍ୱରରେ ଗାଡି ଚଳାଇ ରୋଜଗାର କରୁଥିବା ବେଳେ ଗାଁରେ ସ୍ତ୍ରୀ ଓ ଦୁଇ ପୁଅ ରହୁଛନ୍ତି । ନବୀନ ଓ ସତ୍ୟବାଦୀ ନେତ୍ର ନାୟକଙ୍କ ଦୁଇ ପୁଅ । ବାପ ସମ୍ପତ୍ତିକୁ ଭାଗବଣ୍ଟା କରିବା ପରେ ସତ୍ୟବାଦୀ ଦାଣ୍ଡପଟେ ଘର କରି ରହୁଛନ୍ତି ଓ ନବୀନ ବାପାଙ୍କ ବାଡିପଟେ ଥିବା ପୁରୁଣା ଟାଇଲ ଛପର ଘରେ ରହୁଛନ୍ତି। ନବୀନ ପେସାରେ ଡ୍ରାଇଭର ହୋଇଥିବାରୁ ଭୁବନେଶ୍ୱରରେ ରହି ଗାଡି ଚଳାଇ ସ୍ବଳ୍ପ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି । ସେଥିରେ ପୁଣି ୨ ପୁଅଙ୍କ ପାଠପଢା ଖର୍ଚ୍ଚ । ଏସବୁ ଜଞ୍ଜାଳ ଭିତରେ ନୂଆ ଘର କରିବା ତ ଦୂରର କଥା ବାପାଙ୍କ ଅମଳର ପୁରୁଣା ଟାଇଲ ଛପର ଘରକୁ ମରାମତି କରିବା ପାଇଁ ମଧ୍ୟ ସେ ଅସମର୍ଥ । ଯାହାଫଳରେ ଟାଇଲ ଘରେ ବ୍ୟବହାର ହୋଇଥିବା କାଠ ସବୁ ଖସି ପଡିଲାଣି । ଫଳରେ ଟାଇଲ ସବୁ ଖସି ଘର ଭିତରେ ଦିନରେ ସୂର୍ଯ୍ୟକିରଣ ଓ ରାତିରେ ଚନ୍ଦ୍ର ଦେଖା ଯାଉଛି । ଘରର କାନ୍ଥ ଫାଟି ଆଁ କଲାଣି । ଏପରିସ୍ଥିତିରେ ରାତିରେ ଘରେ ଶୋଇଥିବା ବେଳେ କେତେବେଳେ ଯେ ଅଘଟଣ ନ ଘଟିବ ତାହା କିଏ କହିବ । ସରକାରଙ୍କ ଆବାସ ଯୋଜନାରେ ଘରଟିଏ ପାଇଁ ଆବେଦନ କଲେ ମଧ୍ୟ ତାଙ୍କୁ ମିଳୁ ନାହଁ । ଘରର ଏପରି ସ୍ଥିତି ଦେଖି ବଡଗୋଠ ସମିତି ସଭ୍ୟାଙ୍କ ପ୍ରତିନିଧି ସନ୍ତୋଷ ନାୟକ ନୂଆଗାଁ ବ୍ଲକ ତତ୍କାଳୀନ ବିଡିଓଙ୍କୁ ଅଭିଯୋଗ କରିବାରେ ବିଡିଓ ପ୍ରମୋଦ କୁମାର ନାୟକ ନବୀନଙ୍କ ଘରକୁ ଯିବାରେ ସେ ଘର ପାଇବା ପାଇଁ ହକ୍‌ଦାର ବୋଲି କହିଥିଲେ । କିନ୍ତୁ ବିଡିଓ ନାୟକ ଅନ୍ୟତ୍ର ବଦଳି ହୋଇ ଯିବାରେ ଆବାସ ଯୋଜନାରୁ ତାଙ୍କ ନାମକୁ କାଟି ଦିଆଯାଇଥିବା କହିଛନ୍ତି ନବୀନ । ଏ ବାବଦରେ ସମିତିସଭ୍ୟାଙ୍କ ପ୍ରତିନିଧି ନାୟକ ପୁନର୍ବାର ବର୍ତ୍ତମାନର ନୂଆଗାଁ ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ତେବେ ଲିଖିତ ଅଭିଯୋଗ ପାଇଲେ ସ୍ବତନ୍ତ୍ର ଟିମ୍‌ ଯାଇ ତଦନ୍ତ କରିବେ ବୋଲି କହିଛନ୍ତି ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ର ।

Share