Advertisement
Categories: ଖେଳ

ରିୟଲ କଶ୍ମୀର ଜିତିଲା ଆଇଏଫ୍‌ଏ ଶିଲ୍ଡ

କୋଲକାତା,୨୦ା୧୨ (ପି.ଟି.)-ରିୟଲ କଶ୍ମୀର ଏଫ୍‌ସି ପ୍ରଥମଥର ଏକ ପ୍ରମୁଖ ଫୁଟ୍‌ବଲ ଟୁର୍ନାମେଣ୍ଟ ଜିତିବାରେ ସଫଳ ହୋଇଛି। ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଜର୍ଜ ଟେଲିଗ୍ରାଫ୍‌କୁ ୨-୧ ଗୋଲରେ ପରାସ୍ତ କରି ଆଇଏଫ୍‌ଏ ଶିଲ୍ଡ ହାସଲ କରିଛି। ଯଦିଓ ଏହା ୧୨୭ ବର୍ଷର ପୁରୁଣା ଟୁର୍ନାମେଣ୍ଟ। କିଛିବର୍ଷ ହେଲା ଦେଶର କେତେକ ଶକ୍ତିଶାଳୀ ଦଳ ଏଥିରେ ଅଂଶଗ୍ରହଣ କରୁନାହାନ୍ତି। ଏଥର ୪ ଆଇ-ଲିଗ୍‌ ଦଳ ଏବଂ ୮ କୋଲକାତା ପ୍ରିମିୟର ଲିଗ୍‌ ଦଳ ଅଂଶଗ୍ରହଣ କରିଥିଲେ। ରିୟଲ କଶ୍ମୀର ଏଫ୍‌ସି ଦଳ ବ୍ୟତୀତ ଆଇ-ଲିଗ୍‌ର ମହମ୍ମଡାନ ସ୍ପୋର୍ଟିଂ, ଗୋକୁଳମ କେରଳ ଏବଂ ଇଣ୍ଡିଆନ ଏରୋଜ ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ। ମହମ୍ମଡାନ ସ୍ପୋର୍ଟିଂ ବିପକ୍ଷ ସେମିଫାଇନାଲରେ ହ୍ୟାଟ୍ରିକ୍‌ କରିଥିବା ନାଇଜେରିଆନ ଫରଓ୍ବାର୍ଡ ଲୁକ୍‌ମାନ ଆଦେଫେମି ଏକ ପେନାଲ୍ଟି ଜରିଆରେ ୩୮ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ତେବେ ଜର୍ଜ ଟେଲିଗ୍ରାଫ୍‌ ଦଳର ବଦଳ ଖେଳାଳି ଗୌତମ ଦାସ (୫୦ତମ ମିନିଟ୍‌ ) ଦ୍ୱିତୀୟାର୍ଦ୍ଧରେ ଏକାକୀ ବଲକୁ କ୍ୟାରିକରି ଏକ ସୁନ୍ଦର ଗୋଲ କରିବା ଦ୍ୱାରା ମ୍ୟାଚ ବରାବର ସ୍ତରକୁ ଚାଲିଆସିଥିଲା। ଏହାର ୧୦ ମିନିଟ୍‌ ପରେ ଅଧିନାୟକ ମାସନ ରବର୍ଟସନଙ୍କ ହେଡର ଜରିଆରେ ରିୟଲ କଶ୍ମୀର ୨-୧ରେ ମ୍ୟାଚ ଜିତିନେଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel