ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ସ୍କ୍ବାଡ ପରିଚୟ ଦେଇ କରୁଥିଲେ ଲୁଟ୍‌ପାଟ

ବରଗଡ଼ ଅଫିସ,୧୫ା୧: ପୋଲିସ ସ୍କ୍ବାଡର କର୍ମଚାରୀ ପରିଚୟ ଦେଇ ଲୁଟ୍‌ପାଟ୍‌ ଚଲାଇଥିବା ୨ ଅଭିଯୁକ୍ତଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ସଦର ଥାନା ସିନ୍ଦୁରବାହାଲ ଗ୍ରାମର ସୁମନ ଶେଖର ପାଣିଗ୍ରାହୀ(୨୬) ଏବଂ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୮ କେନାଲପଡ଼ା ନିବାସୀ ଫୁପଲୁ ଓରଫ୍‌ ରାଜେଶ ମେହେର(୩୬)। ସେମାନଙ୍କ ନିକଟରୁ ଏକ ବାଇକ୍‌(ଓଡି ୦୩ କ୍ୟୁ ୦୮୪୬), ଓଡ଼ିଶା ପୋଲିସ ଲେଖାଥିବା ୨ଟି ଜ୍ୟାକେଟ୍‌, ୪ଟି ମୋବାଇଲ, ଗୋଟିଏ ଟୋପି, ନଗଦ ୨ ହଜାର ଟଙ୍କା ଏବଂ ଗୋଟିଏ ଆଇରନ ପାଇପ୍‌ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାର ସେମାନଙ୍କୁ ବରଗଡ଼ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଅତାବିରା ଥାନାରେ ଦଫା ୪୧୯, ୪୨୦, ୩୮୬, ୩୪ ଆଇପିସିରେ ଏକ ମାମଲା ରୁଜୁ ହୋଇଛି।

ବରଗଡ଼ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇ କହିଥିଲେ, ଶୁକ୍ରବାର ପ୍ରାୟ ୮ଟା ସମୟରେ ଗିରଫ ୨ ଅଭିଯୁକ୍ତ ଓଡ଼ିଶା ପୋଲିସ ଲେଖାଥିବା ଜ୍ୟାକେଟ୍‌ ପିନ୍ଧି ଜବତ ବାଇକ୍‌ ଯୋଗେ ଅତାବିରା ଥାନା ରେଙ୍ଗାଲି(କର୍ଲାଟିକ୍ରା) ଗ୍ରାମର ଟୁନା ମିର୍ଦ୍ଧା(୩୧)ଙ୍କ ଗ୍ରୋସରୀ ଦୋକାନରେ ପହଞ୍ଚିଥିଲେ। ସେତେବେଳେ ଦୋକାନ ଖୋଲାଥିବାରୁ ଏତେ ରାତିରେ କାହିଁକି ଦୋକାନ ଖୋଲିଛନ୍ତି ବୋଲି କହିବା ସହିତ ୨ ହଜାର ଟଙ୍କା ନ ଦେଲେ ଟୁନାଙ୍କୁ ଜେଲ୍‌ ପଠାଇ ଦେବୁ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଟୁନା ଅଭିଯୁକ୍ତମାନଙ୍କୁ ୨ହଜାର ଟଙ୍କା ଦେଇଥିଲେ।
ଏ ନେଇ ଟୁନା ଅତାବିରା ଥାନାରେ ଏତଲା ଦେବା ପରେ ପୋଲିସ ଉପରୋକ୍ତ ମାମଲା ରୁଜୁ କରିଥିଲା ଏବଂ ଏସ୍‌ପି ରାହୁଲ ଜୈନଙ୍କ ତତ୍ତ୍ବାବଧାନରେ ଅତାବିରା ଥାନା ଆଇଆଇସି ଅନିଲ କୁମାର ପ୍ରଧାନ ଏହାର ତଦନ୍ତ କରିଥିଲେ। ତଦନ୍ତରେ ୨ ଅଭିଯୁକ୍ତ ଧରାପଡ଼ି ଥିବାବେଳେ ସେମାନେ ବଲାଙ୍ଗୀର ବରଗଡ଼ ଜିଲାର ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଏହା ସହିତ କିଛିଦିନ ତଳେ ସିପୁନ ବେହେରା ଏବଂ ସାଧୁଚରଣ ଭୋଇଙ୍କଠାରୁ ଲୁଟ୍‌ ହୋଇଥିବା ୨ ମୋବାଇଲ ଅଭିଯୁକ୍ତଙ୍କ ପାଖରୁ ଉଦ୍ଧାର ହୋଇଥିବାବେଳେ ଗତ ୬ ତାରିଖ ଅତାବିରା ଥାନା ରେଳ ଷ୍ଟେଶନ ଅଞ୍ଚଳରେ ନଗଦ ୮ହଜାର ଟଙ୍କା, ୨ମୋବାଇଲ ଲୁଟ୍‌ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅତାବିରା ଥାନା ଆଇଆଇସି ଅନିଲ କୁମାର ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

Share