ଦେବଦତ୍ତ ପଟ୍ଟନାୟକ
ଥରେ ମୁଁ ଜଣେ ହିଞ୍ଜଡ଼ାଙ୍କୁ ପଚାରିଲି ତାଙ୍କ ସମୁଦାୟର କେଉଁ କାହାଣୀକୁ ସେ ପବିତ୍ର ମନେକରେ। ମୋ ପ୍ରଶ୍ନର ଉତ୍ତର ସେ ଯାହା ଦେଇଥିଲା ତାହା ଥିଲା ଏହିଭଳି। ୧୪ ବର୍ଷ ବନବାସ ପରେ ଶ୍ରୀରାମ ଅଯୋଧ୍ୟାକୁ ଫେରିଥିଲେ। ଫେରିବା ସମୟରେ ସେ ଅଯୋଧ୍ୟା ପ୍ରବେଶ ଦ୍ୱାର ନିକଟରେ ହିଞ୍ଜଡ଼ାମାନଙ୍କୁ ଦେଖିଲେ। ଭିତରକୁ ନ ଯାଇ କାହିଁକି ବାହାରେ ଠିଆ ହୋଇଛ ବୋଲି ସେମାନଙ୍କୁ ପଚାରିଲେ। ସେମାନେ କହିଲେ-ତୁମର ମନେଥିବ, ଅଯୋଧ୍ୟାବାସୀ ତୁମ ପଛେ ପଛେ ଜଙ୍ଗଲକୁ ଯିବାକୁ ଚାହିଁଥିଲେ । ହେଲେ ତୁମେ ସେମାନଙ୍କୁ ଘରକୁ ଫେରିଯିବା ଲାଗି କହିଲ। ପ୍ରଥମେ ପୁରୁଷ ଓ ପରେ ମହିଳାମାନଙ୍କୁ ଫେରିଯିବା ପାଇଁ କହିଥିଲ। କିନ୍ତୁ ଆମେ ଯେଉଁମାନେ ନା ପୁରୁଷ ନା ମହିଳାରେ ଗଣା, କ’ଣ କରିବୁ ସେ ସମ୍ପର୍କରେ ଆମକୁ କିଛି କହିଲ ନାହିଁ। ସେଥିପାଇଁ ଆମେମାନେ ଆଉ ଫେରିଲୁ ନାହିଁ। ସେଠାରେ ସେମିତି ତୁମ ଫେରିବା ବାଟକୁ ଚାହିଁ ରହିଲୁ। ତେବେ ଆମକୁ କୁହ ଆମେ କ’ଣ କରିବୁ। ଏହା ଶୁଣିବା ପରେ ସେମାନଙ୍କ ପ୍ରତି ଶ୍ରୀରାମ ଧ୍ୟାନ ଦେଇ ନ ଥିବା ଅନୁଭବ କରି ଅତ୍ୟନ୍ତ ଦୁଃଖିତ ହେଲେ। ଅଜାଣତରେ ସେ ହିଞ୍ଜଡାମାନଙ୍କୁ ଏକ ପ୍ରକାର ନିର୍ବାସନ ଦେଇଥିବା ହୃଦ୍ବୋଧ କଲେ। ରାମ ସେମାନଙ୍କୁ ଆଲିଙ୍ଗନ କଲେ, ଶ୍ରଦ୍ଧାରେ ପୋତିପକାଇଲେ। ସେମାନଙ୍କୁ ସବୁ ପାର୍ଥିବ ଓ ସ୍ବର୍ଗୀୟ ସୁଖ ଦେବା ଲାଗି ପ୍ରତିଜ୍ଞା କରିଥିଲେ। ପରେ ସମସ୍ତ ହିଞ୍ଜଡ଼ାଙ୍କୁ ସାଙ୍ଗରେ ଧରି ଶ୍ରୀରାମ ଅଯୋଧ୍ୟା ମଧ୍ୟକୁ ପ୍ରବେଶ କରିଥିଲେ। ଏକୁଟିଆ ଛାଡ଼ି ଛାଲିଯିବାରେ ଥିବା ନିରାଶା ଏବଂ ସାଙ୍ଗରେ ମିଶାଇବାର ଆଶାକୁ ଏହି କାହାଣୀ ପ୍ରତିପାଦିତ କରେ। ହିଞ୍ଜଡ଼ାଙ୍କ ସମ୍ପର୍କିତ ଏହି କାହାଣୀ ମଧ୍ୟ ମାନବ ବିଜ୍ଞାନୀ ସେରେନା ନନ୍ଦାଙ୍କ ପୁସ୍ତକରେ ଦେଖିବାକୁ ମିଳେ। ଆମେ ଏହାକୁ ମାନ୍ୟତା ଚାହୁଁଥିବା ଉପେକ୍ଷିତ ସମୁଦାୟର ଏକ କାଳ୍ପନିକ କଥା ବୋଲି ଯୁକ୍ତି କରିପାରୁ। କିନ୍ତୁ ଏହି କାହାଣୀର ଉଦ୍ଦେଶ୍ୟ ମୂଳରେ ରହିଛି ସେମାନଙ୍କ ବୈଧ ପରିଚୟ ବା ମାନ୍ୟତା। ପ୍ରମାଣ ଥାଉ ବା ନ ଥାଉ ଏହି କାହାଣୀଗୁଡ଼ିକ ଏକ ସମୁଦାୟ ଏବଂ ସେମାନଙ୍କ ପ୍ରଥା, ପରମ୍ପରା ଓ ବିଶ୍ୱାସକୁ ସୁନିଶ୍ଚିତ କରେ।
ପ୍ରଭୁ ଶ୍ରୀରାମ ହିଞ୍ଜଡାମାନଙ୍କୁ ସାଙ୍ଗରେ ନେଇ ଅଯୋଧ୍ୟାରେ ସାମିଲ କରିଥିବାବେଳେ ସାଧାରଣତନ୍ତ୍ର କୁହାଯାଉଥିବା ଭାରତବର୍ଷ ତାହା କରୁଛି କି? ଏଠାରେ ହିଞ୍ଜଡାମାନେ ନିଜକୁ ତୃତୀୟଲିଙ୍ଗୀ ଭାବେ ଦେଖୁଥିବାବେଳେ ସେମାନଙ୍କ ପାସ୍ପୋର୍ଟ ତାହା କହୁଛି କି? ଆମେ କାହିଁକି ସେମାନଙ୍କୁ ଗୋଟିଏ ଲିଙ୍ଗ କିମ୍ବା ଅନ୍ୟଥିରେ ରହିବାକୁ ବାଧ୍ୟକରୁଛୁ? ଏବଂ ଏହା କରି ଆମେ କ’ଣ ହିଞ୍ଜଡାଙ୍କ ଯୌନ କାର୍ଯ୍ୟକଳାପକୁ ପ୍ରାକୃତିକ କିମ୍ବା ଅପ୍ରାକୃତିକ, ବୈଧ କିମ୍ବା ଅପରାଧ ବୋଲି ମାନି ନେବା କି? ଭାରତୀୟ ପିଙ୍ଗଳ କୋଡ୍ ଧାରା ୩୭୭କୁ ସୁପ୍ରିମ କୋର୍ଟ କାଏମ ରଖିବା କେବଳ ସମଲିଙ୍ଗୀ, ଉଭୟଲିଙ୍ଗୀ ଓ ଟ୍ରାନ୍ସସେକ୍ସୁଆଲ ସମ୍ବନ୍ଧିତ ନୁହେଁ, ବରଂ ଏହା ପୁରୁଷ କି ନାରୀ ଭାବେ ବିବେଚନା କରାଯାଉ ନ ଥିବା ବିଚିତ୍ର ଲୋକଙ୍କୁ ସୂଚିତ କରେ। ଏମାନେ ହେଉଛନ୍ତି ତଥାକଥିତ ଅଧିକାର ଥିବା ଏକ ଅଳ୍ପ ସଂଖ୍ୟକ ଗୋଷ୍ଠୀ।
‘ଅପ୍ରାକୃତିକ’ ଶବ୍ଦ ଏହି ନିନ୍ଦନୀୟ ଆଇନର ଏକ ଅଂଶ, ଯାହାକୁ ଇଂରେଜମାନେ ଭାରତକୁ ଆଣିଥିଲେ। ଆମେ ଏହାକୁ ସ୍ବାଧୀନ ଭାରତର ଶବ୍ଦଭଣ୍ଡାରର ସାମିଲ କରିଦେଲେ।
ଏହାର ଅର୍ଥ ‘ସାଧାରଣ ନୁହେଁ’ କିମ୍ବା ‘ସାଂସ୍କୃତିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ’ ସହ ସମାନ ବୋଲି ମନେ କରି ଏଭଳି କରିଦେଲୁ। କିନ୍ତୁ ଭାରତର ରୁଷିମୁନୀମାନେ ଯାହା ଦେଖିଥିଲେ ତାହା ଅନ୍ୟ କେହି ଦେଖି ନ ଥିଲେ। ସେମାନେ ନାଚୁରାଲ (ପ୍ରକୃତି) ଏବଂ କଲଚରାଲ (ସଂସ୍କୃତି) ମଧ୍ୟରେ ସ୍ପଷ୍ଟ ପ୍ରଭେଦକୁ ଦେଖିପାରିଥିଲେ। ମତ୍ସ୍ୟ ନ୍ୟାୟ (ଲ’ ଅଫ୍ ଫିଶ୍) ଦ୍ୱାରା ପ୍ରକୃତି ପରିଚାଳିତ। ଏହି ଆଇନ ଅନୁଯାୟୀ ବଡ଼ ମାଛ ଛୋଟ ମାଛକୁ ଖାଏ। ମତ୍ସ୍ୟ ନ୍ୟାୟ ଯାହା ଜଙ୍ଗଲ ଆଇନ ତାହା। ଜଙ୍ଗଲ ଆଇନ କହେ ଜୋର ଯାର ମୂଲକ ତା’ର କିମ୍ବା ଯୋଗ୍ୟତମ ଜିଇବାକୁ ଯୋଗ୍ୟ। ତେବେ ଜଙ୍ଗଲ ଆଇନ ରଦ୍ଦ ହେଲା ପରେ କଲଚର ବା ସଂସ୍କୃତି ଜନ୍ମଲାଭ କଲା। ସଂସ୍କୃତି ଆଇନ କାନୁନ ଓ ପରମ୍ପରା ଗଢେ। ଏହା ଅସହାୟଙ୍କୁ ସାହାଯ୍ୟ କରିବାକୁ ଚାହିଁଥାଏ। ଏହା କେବଳ ଶକ୍ତିଶାଳୀକୁ ନୁହେଁ କରଂ ପୀଡ଼ିତଙ୍କୁ ଅଧିକାର ଦିଏ। ଏହା କେବଳ ଯୋଗ୍ୟ ନୁହେଁ ବରଂ ଅଯୋଗ୍ୟ ପାଇଁ ସୁଯୋଗ ସୃଷ୍ଟି କରେ। ଏହା କରିବା ହିଁ ଲୋକଙ୍କ ପାଇଁ ଧର୍ମ।
ମାନବ ଏକ ସ୍ବତନ୍ତ୍ର ଜୀବ। ଆମେ ମନ ବା ମାନସ ଧାରଣ କରୁଥିବାରୁ ଆମକୁ ପୁରାଣରେ ମାନବ କୁହାଯାଏ। ମାନବ ମନ ବ୍ୟାପ୍ତ ହେବାର କ୍ଷମତା (ସଂସ୍କୃତରେ ବ୍ରହ୍ମ)ଧାରଣ କରିଥାଏ। ଏଣୁ ପ୍ରତ୍ୟେକ ମାନବ ଏକ ବ୍ରହ୍ମ, ଯିଏ ଏକ ବ୍ୟକ୍ତିଗତ ଆମତ୍କୈନ୍ଦ୍ରିକ ମାନସିକ ବାସ୍ତବତା କିମ୍ବା ବ୍ରହ୍ମାଣ୍ଡରେ ବାସ କରେ। ଏହି ବ୍ରହ୍ମାଣ୍ଡ ଲୋକଙ୍କୁ ସାମିଲ କରିବପାରେ କିମ୍ବା ବାଦ୍ ଦେଇପାରେ। ସେହି ଅନୁଯାୟୀ ଏକ ବ୍ରହ୍ମ ଆଇନ ତିଆରି କରିପାରେ ଯାହା କେବଳ କେତେଜଣଙ୍କୁ ସୁଯୋଗ ଦେଇପାରେ, କିନ୍ତୁ ଅନ୍ୟମାନଙ୍କ ପାଇର୍ଁ ସୁଯୋଗ ସୃଷ୍ଟି କରିପାରେ ନାହିଁ। ବ୍ରହ୍ମର ବ୍ରହ୍ମାଣ୍ଡ ଥିବା ଭଳି ତାହାର ବି ସଂସ୍କୃତି ଅଛି। ଯେହେତୁ ଜ୍ଞାନକୁ ନେଇ ମାନସ (ମନ) ଯେମିତି ପରିବ୍ୟାପ୍ତଶୀଳ ଠିକ୍ ସେମିତି ବ୍ରହ୍ମାଣ୍ଡ ବ୍ୟାପ୍ତ ହୋଇପାରେ। ସେହିଭଳି ସଂସ୍କୃତି ମଧ୍ୟ ଅତ୍ୟଧିକ ସମାବେଶୀ ହୋଇପାରେ।
ଶିବ ପୁରାଣରେ ଉଲ୍ଲେଖ ଅଛି, ଦକ୍ଷର ମସ୍ତକ ଛେଦନ କରିଥିଲେ ମହାଦେବ। ଦକ୍ଷଙ୍କ ସଂସ୍କୃତି ଶିବଙ୍କଠାରୁ ଦୂରେଇ ଯାଇଥିଲା। ତାଙ୍କ ସ୍ବାଭାବିକ ବ୍ୟବହାର ସହ ଶିବ ଏକମତ ନ ଥିଲେ। ଏଣୁ ଶିବ ଦକ୍ଷଙ୍କ ମସ୍ତକ ଛିନ୍ନ କରି ଛେଳି ମୁଣ୍ଡ ଲଗାଇ ତାଙ୍କ ମାନବତା କ୍ଷୟ ହୋଇଥିବା ସ୍ମରଣ କରାଇ ଦେଇଥିଲେ। ଶିବ ବି ଅର୍ଦ୍ଧନାରୀଶ୍ୱର ଭାବେ ଦୃଶ୍ୟମାନ ହୋଇଥାନ୍ତି। ମଥୁରାରେ ସେ ଗୋପେଶ୍ୱର ଭାବେ ପୂଜିତ। ସେ କୃଷ୍ଣଙ୍କ ସହ ନୃତ୍ୟ କରିବା ଲାଗି ଗୋପୀ ସାଜିଛନ୍ତି। ନାଥଦ୍ୱାରରେ କୃଷ୍ଣ ଶାଢି ପିନ୍ଧିି ନାରୀ ବେଶରେ ବିରାଜିତ । ଏହି ସବୁ ମୂର୍ତ୍ତି ଓ ପରମ୍ପରାକୁ ଅଲିଙ୍ଗିକ ଭକ୍ତିର ରୂପାନ୍ତରଣ କିମ୍ବା ବିବିଧ ଲିଙ୍ଗର ପରୋକ୍ଷ ସ୍ବୀକୃତି ଭାବେ ଦେଖାଯାଏ। ଏହା ହିଁ ଭକ୍ତଙ୍କ ଦର୍ଶନ ଓ ଏହା ଉପରେ ଗଭୀର ନିରୀକ୍ଷଣ ନିର୍ଭର କରେ । ଆମ ମନ କେତେ ବ୍ୟାପ୍ତ ବା ପ୍ରଶସ୍ଥ ତାହା ଉପରେ ହିଁ ଦର୍ଶନ ନିର୍ଭର କରେ।
ମନ ଯେତେବେଳେ ବ୍ୟାପ୍ତ ହୁଏ, ସେତେବେଳେ ଆମେ ବ୍ରାହ୍ମଣ (ସସୀମ ମନ କିମ୍ବା ଅନ୍ବେଷୀ ମନ)ରୁ ବ୍ରହ୍ମ (ଅସୀମ ମନ କିମ୍ବା ମୋକ୍ଷ ମନ) ଆଡ଼କୁ ଯାଉ। ସେତେବେଳେ ଆମେ ସୃଷ୍ଟି କରିଥିବା ସମାଜ କମ୍ ଅସ୍ବୀକାର କରିବା ନିର୍ଣ୍ଣୟ ନେବା ସହ ଅଧିକ ସ୍ନେହପୂର୍ଣ୍ଣ ଓ ଅଧିକ ଅନୁକୂଳ ହୋଇଯାଏ। ଏହା ହିଁ ହେଉଛି ଉପନିଷଦ ବିଚାରଧାରାର ସାରତତ୍ତ୍ୱ। ତେବେ ଆମେ ଆଧୁନିକ ଭାରତୀୟମାନେ ଆମ ମନକୁ ବ୍ୟାପ୍ତ କରିବା ଲାଗି ପ୍ରସ୍ତୁତ କି? ରାମ ଯେଭଳି ହିଞ୍ଜଡାମାନଙ୍କୁ ସାଦରେ ଗ୍ରହଣ କରିନେଇଥିଲେ ଆମେ ସେଭଳି କରିପାରିବା କି? ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ମନେକରାଯାଉଥିବା ଏମାନଙ୍କୁ ଆମ ଅଯୋଧ୍ୟାରେ ପ୍ରବେଶ କରାଇପାରିବା କି? ଏହା ହେଲେ ଅସଲି ରାମରାଜ୍ୟ ପ୍ରତିଷ୍ଠା ହୋଇପାରିବ। ଏହା ଉଦାରତାର କଥା ନହେଁ, ବରଂ ଏହା ହିଁ ମାନବତାର ବିଷୟ।
-devduttofficial@gmail.com