Categories: ଖେଳ

ମୋ ଅଧୁରା ସ୍ବପ୍ନ ପୂରା ହେଲା- ପିଟି ଉଷା

ନୂଆଦିଲ୍ଲୀ,୭।୮: ଅଲିମ୍ପିକ୍ସ ସଫଳତା ପରେ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଥିବା କୋଟି କୋଟି ଲୋକଙ୍କ ମଧ୍ୟରେ ରହିଛନ୍ତି କିମ୍ବଦନ୍ତୀ ଧାବିକା ପି ଟି ଉଷା। ସେ ୧୯୮୪ ଅଲିମ୍ପିକ୍ସରେ ୦.୦୧ ସେକେଣ୍ଡରେ ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲେ।

”୩୭ ବର୍ଷ ପରେ ପୂରା ହୋଇଛ ମୋ ଅଧୁରା ସ୍ବପ୍ନ। ମୋ ପୁଅ ନୀରଜଙ୍କୁ ଧନ୍ୟବାଦ୍‌“ ବୋଲି ଏକ ଫଟୋ ସହ ଟୁଇଟ୍‌ କରିଛନ୍ତି ଉଷା।

ଉଲ୍ଲେଖଯୋଗ୍ୟ, ୮୦ ଦଶକରେ ‘ପାୟୋଲି ଏକ୍ସପ୍ରେସ’ ଭାବେ ଜଣାଯାଉଥିବା ଉଷା ୧୯୮୨ ଏସିଆନ ଗେମ୍ସର ୧୦୦ ମି. ଓ ୨୦୦ ମି. ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ। ଏହାର ପରବର୍ଷ ଏସିଆନ ଚାମ୍ପିୟନଶିପ୍‌ରେ ଏସିଆନ ରେକର୍ଡ ଭାଙ୍ଗିବା ସହ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସ ପଦକ ଆଶା ଦେଇଥିଲେ। ଏପହାରେ ଦୌଡ଼ ଇଭେଣ୍ଟ ଛାଡ଼ି ବାଛି ନେଇଥିଲେ ୪୦୦ ମି. ବାଧା ଦୌଡ଼କୁ। ୧୯୮୪ ଅଲିମ୍ପିକ୍ସରେ ରୋମାନିଆର ଖ୍ରିଷ୍ଟିଆନା କୋଜୁକାରୁଙ୍କଠାରୁ ପରାସ୍ତ ହୋଇଥିଲେ ଉଷା। ଅଲିମ୍ପିକ୍‌ ଓ୍ବେବସାଇଟ୍‌ ଅନୁସାରେ ରୋମାନିଆ ଧାବିକା ମୁଣ୍ଡ ନୁଆଇଁଥିଲେ, ଯାହାକି ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଏହି ପରାଜୟ ପରେ ଏସିଆନ ଗେମ୍ସ ଓ ଏସିଆନ୍‌ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାତେଇଥିଲେ। ପଦ୍ମ ଶ୍ରୀ ପୁରସ୍କାର ପ୍ରାପ୍ତ ଉଷା ଏବେ କେରଳରେ ଏକ ଏକାଡେମୀ ଚଲାଉଛନ୍ତି।

Share