Categories: ଜାତୀୟ

ସତ୍ୟେନ୍ଦ୍ରଙ୍କୁ ଆଶ୍ୱସ୍ତି: ମଧ୍ୟବର୍ତ୍ତୀକାଳୀନ ଜାମିନ ବୃଦ୍ଧି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୪।୧୧ : ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଡିସେମ୍ବର ୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ବେଲା ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ସତ୍ୟେନ୍ଦ୍ରଙ୍କ ନିୟମିତ ଜାମିନ ଶୁଣାଣି କରୁଥିଲେ, କିନ୍ତୁ ବେଞ୍ଚରେ ଅନ୍ତର୍ଭୁକ୍ତ ଜଷ୍ଟିସ ଏସ ବୋପାନ୍ନା ଏହି ଶୁଣାଣି ପାଇଁ ଉପଲବ୍ଧ ନ ଥିଲେ। ଏଭଳି ପରିସ୍ଥିତିରେ ସତ୍ୟେନ୍ଦ୍ରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୁପ୍ରିମକୋର୍ଟ ବର୍ତ୍ତମାନ ଡିସେମ୍ବର ୪ରେ ସତ୍ୟେନ୍ଦ୍ରଙ୍କ ନିୟମିତ ଜାମିନ ଆବେଦନ ଉପରେ ବିଚାର କରିବେ। ଏହାପୂର୍ବରୁ ସୁପ୍ରିମକୋର୍ଟ ମନି ଲଣ୍ଡରିଂ ମାମଲାରେ ଅକ୍ଟୋବର ୯ ପର୍ଯ୍ୟନ୍ତ ସତ୍ୟେନ୍ଦ୍ରଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏଥି ସହିତ, ଇଡି ଦାବି କରିଛି ସୁପ୍ରିମକୋର୍ଟରେ ଜାମିନ ଆବେଦନକୁ ଦର୍ଶାଇ ଏଏପି ନେତାମାନେ ବାରମ୍ବାର ଶୁଣାଣି ସ୍ଥଗିତ ରଖିବାକୁ ଦାବି କରୁଛନ୍ତି।

ସତ୍ୟେନ୍ଦ୍ରଙ୍କ ସହ ସଂଯୁକ୍ତ ଚାରିଟି କମ୍ପାନୀ ମାଧ୍ୟମରେ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ୨୦୧୭ ମସିହାରେ ଦୁର୍ନୀତି ନିବାରଣ ଅଧିନିୟମ ଅନୁଯାୟୀ ସତ୍ୟେନ୍ଦ୍ରଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଥିଲା। ସିବିଆଇ ମାମଲାରେ ୬ସେପ୍ଟେମ୍ବର ୨୦୧୯ ପରଠାରୁ ସତ୍ୟେନ୍ଦ୍ର କ୍ରମାଗତ ଭାବେ ଜାମିନ ପାଇଛନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ଗତ ବର୍ଷ ମେ ୩୦ ରେ ସତ୍ୟେନ୍ଦ୍ରଙ୍କୁ ଗିରଫ କରିଥିଲା। ଚଳିତ ବର୍ଷ ମେ ୨୬ ରେ ସୁପ୍ରିମକୋର୍ଟ ତାଙ୍କୁ ମେରୁଦଣ୍ଡ ଅସ୍ତ୍ରୋପଚାର ପାଇଁ ୬ ସପ୍ତାହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏହା ପରେ, ସେପ୍ଟେମ୍ବର ୧୨ ରେ ସୁପ୍ରିମକୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

Share