ସମଲେଶ୍ୱରୀ ମନ୍ଦିର ପୁନରୁଦ୍ଧାର ପ୍ରସଙ୍ଗରେ ସରକାରଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର,୪ା୭ (ଅନିଲ ଦାସ): ସମଲେଶ୍ୱରୀ ମନ୍ଦିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ଯୋଜନାକୁ ବିରୋଧ କରି ଦାଖଲ ହୋଇଥିବା ସ୍ପେଶାଲ ଲିଭ୍‌ ପିଟିଶନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ୨ ଜଣିଆ ଖଣ୍ଡପୀଠ ଜଷ୍ଟିସ ବି.ଆର. ଗଭାଇ ଏବଂ ଜେ.ବି. ପରଦିଓ୍ବାଲା ଓଡ଼ିଶା ହାଇକୋର୍ଟଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ହାଇକୋର୍ଟଙ୍କ ଆଦେଶ ଉପରେ ଆମେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ଚାହୁଁ ନାହୁଁ କହି ଖଣ୍ଡପୀଠ ସ୍ପେଶାଲ ଲିଭ୍‌ ପିଟିଶନକୁ ଖାରଜ କରି ଦେଇଛନ୍ତି। ମାମଲା ଶୁଣାଣି ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବ ଶଙ୍କର ମିଶ୍ର ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦିଆଯାଇଥିବା ପିଟିଶନକୁ ବିରୋଧ କରିଥିଲେ। ମା’ ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଏବଂ ପଶ୍ଚିମଓଡ଼ିଶା ଲୋକମାନଙ୍କ ବିକାଶ ସମ୍ପର୍କିତ ପ୍ରସ୍ତାବକୁ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିଥିଲେ। ସମଲେଶ୍ୱରୀ ଟେମ୍ପୁଲ ଏରିଆ ମ୍ୟାନେଜମେଣ୍ଟ ଆଣ୍ଡ ଲୋକାଲ ଇକୋନୋମିକ୍‌ ଇନିସିଏଟିଭ (ସମଲେଇ) ଯୋଜନା କାର୍ଯ୍ୟକାରୀ ପାଇଁ ଘରୋଇ ଜମି ଅଧିଗ୍ରହଣର ଆବଶ୍ୟକତା ଥିଲା। ଏଥିସହିତ ମନ୍ଦିର ଚାରିପାଖରେ ଥିବା ସରକାରୀ ଜବରଦଖଲକୁ ହଟାଯାଇଛି। ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ବସ୍ତିବାସିନ୍ଦାଙ୍କୁ ସହାୟତା ରାଶି ପ୍ରଦାନ କରାଯିବା ସହ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସେ ଯୁକ୍ତି ବାଢ଼ିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୩ ଜାନୁୟାରୀ ୩୧ରେ ହାଇକୋର୍ଟ ଆବେଦନକାରୀଙ୍କ ପ୍ରସ୍ତାବ ଉପରେ ବିଚାର କରିବାକୁ ସମ୍ବଲପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକର୍ତ୍ତା ରାକେଶ ସୁନା ରାଜ୍ୟ ସରକାରଙ୍କ ଦ୍ୱାରା ସମଲେଇ ଯୋଜନା ପାଇଁ କରାଯାଇଥିବା ପୁନର୍ବାସ ଓ ଥଇଥାନ ସ୍କିମ୍‌କୁ ରଦ୍ଦ କରି ରିହାବିଲିଟେଶନ ଆଣ୍ଡ୍‌ ରିସେଟଲମେଣ୍ଟ ଆଇନ-୨୦୧୩ ଅନୁଯାୟୀ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା ଦେବାକୁ ଦାବି କରିଥିଲେ।

Share