Categories: ଜାତୀୟ

ଏଆଇଏଡିଏମ୍‌କେରେ ବିଦ୍ରୋହ

ଚେନ୍ନାଇ, ୧୨ା୭: ତାମିଲନାଡ଼ୁର ମୁଖ୍ୟ ବିରୋଧୀ ଦଳ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଜାଗମ୍‌ (ଏଆଇଏଡିଏମ୍‌କେ)ରେ ଥିବା ଅନ୍ତଃକନ୍ଦଳ ଖୋଲାଖୋଲି ସାମ୍‌ନାକୁ ଆସିଛି। ଦଳର ଦୁଇ ବରିଷ୍ଠ ନେତା ଇଡାପାଡି କେ ପାଲାନିସ୍ବାମୀ (ଇପିଏସ୍‌) ଏବଂ ଓ. ପନିରସେଲଭମ୍‌(ଓପିଏସ୍‌) ପାର୍ଟି କମାଣ ସମ୍ଭାଳିବାକୁ ନେଇ ପରସ୍ପର ବିରୋଧରେ ବିଦ୍ରୋହ କରିଛନ୍ତି। ସୋମବାର ଅନୁଷ୍ଠିତ ଏଆଇଏଡିଏମ୍‌କେର ସାଧାରଣ ପରିଷଦ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀଙ୍କୁ ଦଳର ଅନ୍ତରୀଣ ସାଧାରଣ ସମ୍ପାଦକ ନିଯୁକ୍ତି ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେ ନେତ୍ରୀ ଜେ. ଜୟଲଲିଥାଙ୍କ ମୃତ୍ୟୁପରେ ଦଳରେ ଚାଲିଥିବା ଦୋହରା ନେତୃତ୍ୱ ମଡେଲକୁ ଶେଷ କରିବା ପାଇଁ ମଧ୍ୟ ପ୍ରସ୍ତାବ ଆଗତ ହୋଇଛି। ପାର୍ଟି ଚଲାଇବା ନିମନ୍ତେ ପାଲାନିସ୍ବାମୀଙ୍କୁ ସମସ୍ତ କ୍ଷମତା ପ୍ରଦାନ ପରେ ୨୦୧୭ ସେପ୍ଟେମ୍ବର ୧୨ରେ ହୋଇଥିବା ଦଳର କୋଅର୍ଡିନେଟର ଏବଂ ଜଏଣ୍ଟ କୋଅର୍ଡିନେଟର ପଦକୁ ହଟାଇ ଦିଆଯାଇଛି। ଏହି ଦୁଇ ପଦ ଯଥାକ୍ରମେ ଓପିଏସ୍‌ ଏବଂ ଇପିଏସ୍‌ ସମ୍ଭାଳିଥିଲେ। ଅପରପକ୍ଷେ ପାଲାନିସ୍ବାମୀଙ୍କୁ ଦଳର ସବୁ କ୍ଷମତା ଦିଆଯିବାକୁ ଓପିଏସ୍‌ ବିରୋଧ କରି ପାର୍ଟିରେ ବିଦ୍ରୋହ କରିଛନ୍ତି। ଫଳରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଓପିଏସ୍‌ ଏବଂ ତାଙ୍କ ସମର୍ଥକଙ୍କୁ ଦଳରୁ ବହିଷ୍କାର କରାଯାଇଛି।
ସାଧାରଣ ପରିଷଦ ବୈଠକ ଉପରେ ରହିତାଦେଶ ଜାରି କରିବାକୁ ପୂର୍ବରୁ ପନିରସେଲଭମ ମାଡ୍ରାସ୍‌ ହାଇକୋର୍ଟରେ ଆବେଦନ କରିଥିଲେ। ଦଳର ସଂଖ୍ୟାଗରିଷ୍ଠ ସଦସ୍ୟ ଏହି ବୈଠକ ହେଉ ବୋଲି ଚାହୁଁଥିବା କହି ଜଷ୍ଟିସ୍‌ କ୍ରିଷ୍ଣନ୍‌ ରାମାସ୍ବାମୀଙ୍କ ଏକକ ଖଣ୍ଡପୀଠ ଏହାକୁ ମଞ୍ଜୁରୀ ଦେବା ପରେ ଓପିଏସ୍‌ଙ୍କୁ ଝଟକା ଲାଗିଥିଲା। କୋର୍ଟଙ୍କ ଅନୁମତି ପରେ ଏ. ତାମିଲ ମହନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମ୍‌ ଏବଂ ତାଙ୍କ ନିକଟତମ ସହଯୋଗୀ ଆର୍‌. ବୈଥୟାଲିଙ୍ଗମ୍‌, ମନୋଜ ପ୍ରଧାନ ଏବଂ ଜେ. ସି. ଡି. ପ୍ରଭାକରଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ହଟାଯିବା ପାଇଁ ଆଗତ ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ପନିରସେଲଭମ ସଙ୍ଗେ ସଙ୍ଗେ ପାଲାନିସ୍ବାମୀ ଏବଂ କେ. ପି. ମୁନିସାମୀଙ୍କୁ ପଦରୁ ବହିଷ୍କୃତ କରିଥିଲେ। କିନ୍ତୁ ପାଲାନିସ୍ବାମୀ ଦଳର ସର୍ବୋଚ୍ଚ ନେତା ହେବା ପରେ ପନିରସେଲଭମ୍‌ଙ୍କ ଏହି ପଦକ୍ଷେପ ମୂଲ୍ୟହୀନ ହୋଇଛି। ବୈଠକରେ ସ୍ବତନ୍ତ୍ର ପ୍ରସ୍ତାବ ଆଣିଥିବା ଏଆଇଏଡିଏମ୍‌କେର ଆର୍‌. ବିଶ୍ୱନାଥନ କହିଥିଲେ, ପନିରସେଲଭମ୍‌ ଶାସକ ଡିଏମ୍‌କେ ଇଶାରାରେ ଯାଇ ଅନୁଚିତ କାମକୁ ବିରୋଧ ପରିବର୍ତ୍ତେ ରାଜ୍ୟ ସରକାରଙ୍କୁ ସମର୍ଥନ କରୁଛନ୍ତି। ଏପରି କରି ସେ ଏଆଇଏଡିଏମ୍‌କେକୁ ଦୁର୍ବଳ କରିବାକୁ ଉଦ୍ୟମ ଚଳାଇଛନ୍ତି। ଦଳର ସାଧାରଣ ପରିଷଦ ବୈଠକ ବିରୋଧରେ ଅଭିଯୋଗ କରି ଏହାକୁ ବନ୍ଦ କରିବା ନିମନ୍ତେ ଓପିଏସ୍‌ କୋର୍ଟ ଯିବା ପାର୍ଟି ନିୟମ ବିରୋଧୀ। ତେଣୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଓପିଏସ୍‌ଙ୍କ ସମେତ ତାଙ୍କ ସମର୍ଥକଙ୍କୁ ଦଳରୁ ବିଦା କରାଯାଇଥିବା ସେ କହିଛନ୍ତି।
ଡିସେମ୍ବରରେ ଜୟଲଲିଥାଙ୍କ ମୃତ୍ୟୁ ପରେ ତାଙ୍କ ବିଶ୍ୱସ୍ତ ଭି. କେ. ଶଶିକଳାଙ୍କୁ ଅନ୍ତରୀଣ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଥିଲା। ଶଶିକଳାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ସେ ଗିରଫ ହୋଇ ଜେଲ ଦଣ୍ଡାଦେଶ ପାଇଥିଲେ। ଏଆଇଏଡିଏମ୍‌କେ ୨୦୧୭ରେ ଶଶିକଳାଙ୍କୁ ଏହି ପଦରୁ ହଟାଇଥିଲା। ଅନ୍ୟପକ୍ଷରେ ବୈଠକରେ ପାରିତ ହୋଇଥିବା ଆଉ ଏକ ପ୍ରସ୍ତାବ ଅନୁସାରେ ସୋସିଆଲ ଜଷ୍ଟିସ୍‌ ଆଇକନ୍‌ ସ୍ବର୍ଗତ ପେରିୟାର ଇ. ଭି. ରାମାସାମୀ, ଦ୍ରାବିଡିଆନ୍‌ ଆନ୍ଦୋଳନର ଜନକ ସି. ଏନ୍‌. ଆନାଦୁରାଇ ଏବଂ ଏଆଇଏଡିଏମ୍‌କେ ସୁପ୍ରିମୋ ସ୍ବର୍ଗତ ଜେ. ଜୟଲଲିଥାଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବାକୁ ନିଷ୍ପତ୍ତି ହୋଇଛି।

Share