ରସିଦ୍‌ ୩ମାସର, ଚାଉଳ ଦିଆଯାଉଛି ୨ ମାସର

ତେନ୍ତୁଳିଖୁଣ୍ଟି,୧୬।୬( ଚିଦାନନ୍ଦ ସାହୁ): ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ପଞ୍ଚାୟତରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କୁ ଠିକ୍‌ ସମୟରେ ଠିକ୍‌ ପରିମାଣରେ ମିଳୁ ନ ଥିବା ଅଭିଯୋଗ ହେଉଛି। ଯେଉଁ ମାସର ଚାଉଳ ସେହି ମାସ ପରିବର୍ତ୍ତେ କାହାର ସୁବିଧା ପାଇଁ ଏକା ଥରକେ ୩ ମାସ ତ କେବେ ୨ ମାସର ଚାଉଳ ଦିଆଯାଉଛି। ବେଳେବେଳେ ୩ ମାସର ରସିଦ କାଟି ୨ ମାସର ଚାଉଳ ଦିଆଯାଉଥିବା ଦିଗି, ଝରିଗୁମ୍ମା, କଣ୍ଟାଗାଁ, କଂଗ୍ରା ପଞ୍ଚାୟତରୁ ଅଭିଯୋଗ ଆସୁଛି।
ଚଳିତ ମାସରେ ପୂଜାରିଗୁଡ଼ା ପଞ୍ଚାୟତର ଆଭ୍ୟନ୍ତରୀଣ ଅଞ୍ଚଳ ଢାକୁଳଗୁଡ଼ା, କାଦମାଲି, କପାଟସିଲ, ବଗେଇପଦର, ଖୁଣ୍ଟିପଦର, କାନ୍ଦ୍ରାଗୁଡ଼ା ନୂଆଗୁଡ଼ା ଗ୍ରାମବାସୀଙ୍କୁ ୧୩ ତାରିଖ ପର୍ଯ୍ୟନ୍ତ ରାଶନ ସାମଗ୍ରୀ ଦିଆଯାଇ ନ ଥିଲା। କିନ୍ତୁ ପଞ୍ଚାୟତ ଷ୍ଟକ୍‌ରେ ସେହି ବାବଦର ୨୯୦ କୁଇଣ୍ଟାଲ ଚାଉଳ ନାହିଁ। ଗ୍ରାମବାସୀଙ୍କ ଅଭିଯୋଗ ପରେ ବିପ୍ପଣୀ ନିରୀକ୍ଷକ ରୋହିତ ମାଝି ତଦନ୍ତ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଷ୍ଟକ୍‌ ଗଲା କୁଆଡେ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଏହାପରେ ଯୋଗାଣ ସହାୟକ କୃଷ୍ଣଚନ୍ଦ୍ର ରାଉତ ଗୁରୁବାର ଚାଉଳ ଯୋଗାଇ ଦେଇଛନ୍ତି। ସେହିଭଳି ଅଁଳାଭଟ୍ଟା ପଞ୍ଚାୟତରେ ୩ମାସର ଚାଉଳ ଗାଏବ ଘଟଣା ପରେ ମଧ୍ୟ ରାଶନ ସାମଗ୍ରୀ ଯୋଗାଣରେ ଅନିୟମିତତା ହେଉଥିବାରୁ ଭିତିରି ସଲାସୁତୁରାରେ ସବୁ ଚାଲୁଥିବା ଅଭିଯୋଗ କରାଯାଉଛି। ସେହିଭଳି କାମତା ପଞ୍ଚାୟତରେ ୩ କେଜି ଲେଖାଏ କାଟି ଦିଆଯାଉଥିବାରୁ ଚାଉଳ ନେବାକୁ ହିତାଧିକାରୀ ରାଜି ହେଉ ନ ଥିବା କହିଛନ୍ତି। ପ୍ରତି ବଣ୍ଟନ ବେଳେ ରସିଦ ନ କାଟିବା, ଚାଉଳ ନେଉ ନ ଥିବା ଯୋଗୁ ଷ୍ଟକ୍‌ ବଳକା ରହୁଛି। ପରବର୍ତ୍ତୀ ସମୟରେ କମ୍‌ ଚାଉଳ ଆସୁଛି ବୋଲି କେତେଜଣ ଯୋଗାଣ ସହାୟକ କହିଛନ୍ତି। ଗୌଡ଼ ଦେଓପାଲି ପଞ୍ଚାୟତରେ ଏବେ ପର୍ଯ୍ୟନ୍ତ ଅଫ୍‌ଲାଇନରେ ହିଁ ଚାଉଳ ଦିଆଯାଉଛି। ସେଠାକାର ପ୍ରତି ହିତାଧିକାରୀଙ୍କ ପାଖକୁ ଯାଇ ଠିକ୍‌ ରୂପେ ରାଶନ ସାମଗ୍ରୀ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ କେବେ ଯାଞ୍ଚ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ। ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ବାବଦ ରାଶନ ତୁରନ୍ତ କାଟିବା ପାଇଁ ବ୍ୟବସ୍ଥା କରାଯାଉଛି କି ନାହିଁ ଯଦି ନା କେତେ ମାସ ପରେ ବା କେବେ ମୃତକ ଙ୍କ ନାମ ରାଶନ ତାଲିକାରୁ କଟୁଛି। ଜନ୍ମ ହୋଇଥିବା ପରିବାର ସଦସ୍ୟଙ୍କ ନାମ ସଂଲଗ୍ନ କେବେ କରାଯାଉଛି କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ହିତାଧିକାରୀଙ୍କୁ ଚାଉଳ କମ୍‌ ଦେବା ସମ୍ପର୍କରେ ଯୋଗାଣ ନିରୀକ୍ଷକ ରୋହିତ ମାଝିଙ୍କୁ ପଚାରିବାରୁ ଷ୍ଟକ୍‌ କମ୍‌ ଯୋଗୁ ୩କେଜି କାଟି ଚାଉଳ ଦେବାକୁୁ କହିବାରୁ ହିତାଧିକାରୀ ନେବାକୁ ରାଜି ହେଉ ନ ଥିଲେ। କିନ୍ତୁ ଗୁରୁବାର କାମତା ପଞ୍ଚାୟତରେ ଗୋଟିଏ ଗ୍ରାମକୁ ଛାଡ଼ି ଅନ୍ୟ ଗ୍ରାମରେ ବିନା କଟ୍‌ନିରେ ଚାଉଳ ଦିଆଯାଇଛି ବୋଲି ସେ କହିଛନ୍ତି। ଛୁଆଟିଏ ଜନ୍ମହେବାର ୫ବର୍ଷ ପରେ ତାଙ୍କ ନାମ ରାଶନ କାର୍ଡରେ ଚଢ଼ୁଛି। ସେହିଭଳି ଜଣେ ହିତାଧିକାରୀଙ୍କ ମୃତ୍ୟୁ ସମ୍ପର୍କରେ ଅଙ୍ଗନଓ୍ବାଡି କର୍ମୀ ରିପୋର୍ଟ ଦେଲେ ସେହି ମାସରେ ତାଙ୍କ ନାମ ତାଲିକାରୁ କଟାଯାଉଛି ବୋଲି ସେ କହିଛନ୍ତି।

Share