ୟା’ ଭିତରେ ଅନେକ ବର୍ଷ ଅତିବାହିତ ହୋଇଗଲାଣି। ଅବସର ନେବା ଆଜିକୁ କୋଡ଼ିଏ ଦିନ ପୂରିଗଲାଣି। ହେଲେ ଗୋଟିଏ କଥା ଏଇଠି ନ କହି ମୁଁ ନୀରବୀ ପାରୁନି। ୧୯୮୨ ମସିହା କଥା, ସେତେବେଳର ସ୍ବନାମଧନ୍ୟ ମହିଳା ପତ୍ରିକା ସୁଚରିତାରେ ମୋର ‘କୁକୁଡ଼ା’ ଶୀର୍ଷକ କବିତାଟିଏ ପ୍ରକାଶିତ ହୋଇଥାଏ। କବିତାଟିକୁ ଲଫାପାରେ ପୂରାଇ ତା’ଉପରେ ଠିକଣା ଲେଖି ଡାକଘରେ ପୋଷ୍ଟ କଲାବେଳେ ମୁଁ ଭାବି ନ ଥିଲି ପତ୍ରିକା ସହ ପଚାଶ ଟଙ୍କାର ମନିଅର୍ଡର ଆସି ପହଞ୍ଚତ୍ବ ବୋଲି। ଓଃ ସେଦିନର ସେ ଖୁସି ବର୍ଣ୍ଣନା କରିହେବ ନାହିଁ। ସେଇ ପାଞ୍ଚଖଣ୍ଡ ଦଶଟଙ୍କିଆ ନୋଟ୍କୁ ମୁଁ କେମିତି ଖର୍ଚ୍ଚ କରିଥିଲି ଆଜି ମନେପଡୁନି ସତ କିନ୍ତୁ ପାଖାପାଖି ପଚାଶ ଜଣଙ୍କୁ ସେ ଟଙ୍କାକୁ ଦେଖାଇଥିଲି; ଯେଉଁମାନେ କି କବିତା କ’ଣ, ପତ୍ରିକା କ’ଣ, ଏସବୁ ବିଷୟରେ ତାଙ୍କ ଗ୍ରାମୀଣ ଜୀବନରେ ପରିଚିତ ନ ଥିଲେ। ଏହି ଘଟଣାର ତିନିବର୍ଷ ପରେ ମୋର ବାହାଘର, ଆଉ ବାହାଘରର ତିନିମାସ ପରେ ମୋତେ ଶିକ୍ଷୟିତ୍ରୀ ଚାକିରି ମିଳିଲା ସେତେବେଳର ବାଲେଶ୍ବର ଜିଲା ଆଉ ପରେ ପରେ ଭଦ୍ରକ ଜିଲାର କେନ୍ଦୁଆପଦାରେ। ସେତେବେଳେ ହାଇସ୍କୁଲ ଶିକ୍ଷକଙ୍କର ବହୁତ କମ୍ ଦରମା ଥିଲା। ମୋତେ ପ୍ରଥମ ଦରମା ମିଳିଥିଲା, ଏକାବେଳେକେ ତିନିମାସର ମିଶି ୭୫୦୦ଟଙ୍କା। ମୋ ଶାଶୁଘର ବଡ଼ ପରିବାର। ତେଣୁ ସ୍ବଳ୍ପ ଦରମାରେ ଶାଶୁ, ଶ୍ୱଶୁର, ଯା’, ଦେଢଶୁର, ପୁତୁରା, ଝିଆରୀ ଆଦି ସମସ୍ତଙ୍କ ପାଇଁ ନୂଆ ଲୁଗା କିଣିବା ସମ୍ଭବ ନ ଥିଲା। ସେଥିପାଇଁ ସ୍ଥିର ହେଲା କେବଳ ମହିଳାମାନଙ୍କ ପାଇଁ କିଣାହେବ।
ମୋ ଶାଶୁ; ଯାହାଙ୍କୁ ଆମେ ସ୍ନେହରେ ଖୁଡ଼ୀ ଡାକୁ। ଖୁଡୀ ବିନା ସାୟା, ବ୍ଲାଉଜ୍, ଚପଲରେ ଜଣେ ଅବଗୁଣ୍ଠନବତୀ ସ୍ନେହମୟୀ ନାରୀ। ଲୁଗା କିଣାହେବା ଦିନ ମୁଁ ଓ ମୋ ସ୍ବାମୀ ବସ୍ରେ କେନ୍ଦୁଆପଦାରୁ ଭଦ୍ରକ ଯାଇଥିଲୁ। ଆଜି ଅନେକ ଦିନ ପରେ ଭଦ୍ରକର ଭୌଗୋଳିକ ଅବସ୍ଥିତି ବିଷୟରେ ମୋତେ ଜଣା ନାହିଁ ସତ କିନ୍ତୁ ସେଦିନ କଚେରି ବଜାରରେ ଥିବା ଖେମକା ଶାଢ଼ି ଦୋକାନରୁ ସମସ୍ତଙ୍କ ପାଇଁ ଶାଢ଼ି କିଣାହେଲା। ତା’ପରେ ମୋ ଶାଶୁ ଅର୍ଥାତ୍ ଖୁଡ଼ୀଙ୍କ ପାଇଁ ଗୋଟିଏ ଜରିଧଡ଼ି ଥିବା ଲାଲ ରଙ୍ଗର ଶାଢ଼ି, ମ୍ୟାଚିଂ ବ୍ଲାଉଜ ଓ ସାୟା ଏବଂ ସ୍ଲିପର୍ ହଳେ କିଣିଥିଲୁ। ଆଜି ବି ଖୁଡୀଙ୍କର ସେଇ ଶାଢ଼ି, ଚପଲ ପିନ୍ଧା ରୂପ ଝଲସି ଉଠେ ମୋ ଆଖି ସାମ୍ନାରେ। ତାଙ୍କ ଗୋରା ତକତକ ସୁନ୍ଦର ରୂପକୁ ଶାଢ଼ି, ସାୟା, ବ୍ଲାଉଜ ପିନ୍ଧିବା ଯେତିକି ମାନୁଥିଲା ତା’ଠାରୁ ଅଧିକ ସୁନ୍ଦର ଲାଗୁଥିଲା ନୂଆ ଚପଲ ପିନ୍ଧା ପାଦ ଦୁଇଟି। ଚପଲ ପିନ୍ଧିଲାବେଳେ ଖୁଡ଼ୀଙ୍କର ଲାଜଲାଜ ଭାବର ଠାଣି ମୋତେ ବହୁତ ଆନନ୍ଦିତ କରିଥିଲା ସେଦିନ। ସମୟ ସ୍ରୋତରେ ୟା’ଭିତରେ କେତେ କ’ଣ ଘଟିଗଲାଣି। ଝିଅ, ବୋହୂ ପାଇଁ ତଥା ଅନ୍ୟାନ୍ୟ ସମ୍ପର୍କୀୟଙ୍କ ଲାଗି କେତେ ଦାମୀ ଶାଢ଼ି କିଣାଯାଇଛି, ହେଲେ ସେହି ପ୍ରଥମ ରୋଜଗାରରେ ସମସ୍ତଙ୍କ ପାଇଁ ଶାଢ଼ି କିଣି ରିକ୍ସାରେ ବସି ଘରକୁ ଫେରିବାର ଆନନ୍ଦ ଆଉ କ’ଣ କେବେ ମିଳୁଛି। ସେଦିନ ଆମେ ସ୍ବାମୀସ୍ତ୍ରୀ ଦୁହେଁ ନିଜ ପାଇଁ କିଛି ବି କିଣି ନ ଥିଲୁ ସତ କିନ୍ତୁ ସମସ୍ତଙ୍କୁ ଖୁସି କରିବା ପାଇଁ ଯେଉଁ ଚେଷ୍ଟା କରିଥିଲୁ ସେଥିରୁ ଆମକୁ ବହୁତ ଆତ୍ମତୃପ୍ତି ମିଳିଥିଲା।