ନୂଆଦିଲ୍ଲୀ,୧୩।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୩୧ ବର୍ଷ ହେଲା ଜେଲରେ ଥିବା ସମସ୍ତ ୬ ଅପରାଧୀ ନଳିନୀ ଶ୍ରୀହରନ, ତାଙ୍କ ସ୍ବାମୀ ମୁରୁଗାନ୍, ସନ୍ଥନ୍, ରବର୍ଟ ପୟାସ, ଜୟକୁମାର ଏବଂ ରବିଚନ୍ଦ୍ରନଙ୍କୁ ମୁକ୍ତ କରାଯାଇଛି। ନଳିନୀ ଏବଂ ରବିଚନ୍ଦ୍ରନ ତାମିଲନାଡୁର ହୋଇଥିବାବେଳେ ଅନ୍ୟ ୪ ଜଣ ଶ୍ରୀଲଙ୍କା ନାଗରିକ। ଜେଲରୁ ମୁକ୍ତ ହେବା ପରେ ନଳିନୀ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଶଂସାରେ ପୋତି ପକାଇଛନ୍ତି। ଭେଲୋର ଜେଲରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ହୋଇଥିବା ସାକ୍ଷାତ ବିଷୟରେ ସେ କହିଛନ୍ତି। ପ୍ରିୟଙ୍କା ବହୁତ ଦୟାଳୁ ଅଟନ୍ତି। ସେ ଜଣେ ଆଞ୍ଜେଲ ପରି। ଜେଲରେ ଆମକୁ ଭଲ ବ୍ୟବହାର କରାଯାଇ ନ ଥିଲା। କିନ୍ତୁ ପ୍ରିୟଙ୍କା ଗାନ୍ଧୀ ପୂର୍ଣ୍ଣ ସମ୍ମାନ ଦେଇଥିଲେ। ଆମକୁ ଜେଲରେ ଥିବା ଅଧିକାରୀଙ୍କ ସାମ୍ନାରେ ବସିବାକୁ ଦିଆଯାଇ ନ ଥିଲା। କିନ୍ତୁ ଯେତେବେଳେ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ଭେଟିବାକୁ ଆସିଥିଲେ, ସେତେବେଳେ ସେ ମୋତେ ତାଙ୍କ ପାଖରେ ବସିବାକୁ ଦେଇଥିଲେ। ଏହା ମୋ ପାଇଁ ଏକ ଭିନ୍ନ ଅନୁଭୂତି ଥିଲା। ପ୍ରିୟଙ୍କା ମୋତେ ପିତାଙ୍କ ହତ୍ୟା ବିଷୟରେ ପଚାରିଥିଲେ। ସେ ବହୁତ ଭାବପ୍ରବଣ ଥିଲେ।
ସୂଚନାଯୋଗ୍ୟ,୧୯୯୧ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଶ୍ରୀହରନ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ଶ୍ରୀହରନ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ପରେ ସୁପ୍ରିମକୋର୍ଟ ଏହି ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ।