ମାଣ୍ଡିଆକେକ୍‌ ପ୍ରସ୍ତୁତି ପ୍ରଣାଳୀକୁ ସ୍ବୀକୃତି

ସମ୍ବଲପୁର,୧୧।୪(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)କୁ ଆଉ ଏକ ସଫଳତା ମିଳିଛି। ହୋମ୍‌ ସାଇନ୍ସର ପିଜି ଓ ସ୍କୁଲ ଅଫ କେମେଷ୍ଟ୍ରି ବିଭାଗର ମିଳିତ ମାଣ୍ଡିଆ ପ୍ରସ୍ତୁତିି ପ୍ରଣାଳୀକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି। ଭାରତୀୟ ପ୍ରଣାଳୀ ଅଫିସ ଭାରତ ସରକାରଙ୍କ ପକ୍ଷରୁ ୨୦ବର୍ଷ ପାଇଁ ଏହି ସ୍ବୀକୃତି ପ୍ରଦାନ କରାଯାଇଛି। ଏହି ପ୍ରଣାଳୀରେ ଆଉ କେହି କେକ୍‌ ତିଆରି କରିପାରିବେ ନାହିଁ। ଯଦି କରିବେ ତା’ହେଲେ ଏସ୍‌ୟୁଠାରୁ ଅନୁମତି ନେବାକୁ ପଡ଼ିବ ନ ହେଲେ କିଣିବାକୁ ପଡ଼ିବ ବୋଲି କୁଳପତି ସଞ୍ଜୀବ ମିତ୍ତଲ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ବିଶ୍ୱବିଦ୍ୟାଳୟ ହୋମ୍‌ ସାଇନ୍ସ ବିଭାଗ ମୁଖ୍ୟ ଚନ୍ଦ୍ରଶେଖର ଲେଙ୍କା, ସ୍କୁଲ ଅଫ କେମେଷ୍ଟ୍ରି ପ୍ରଫେସର ପ୍ରମିଳା କୁମାରୀ ମିଶ୍ର, ଅଚ୍ୟୁତ କୁମାର ବିଶ୍ୱାଳ, ତୃପ୍ତି ପ୍ରଧାନ, ତୃପ୍ତି କୁମାରୀ ପ୍ରମୁଖ ମିଳିତ ଭାବେ ମାଣ୍ଡିଆକେକ୍‌ ତିଆରି କରିଥିବାରୁ ସେମାନଙ୍କୁ ଏହି ଶ୍ରେୟ ଦିଆଯାଉଛି। ସେହିପରି ଚନ୍ଦ୍ରଶେଖର ଲେଙ୍କା କହିଛନ୍ତି, ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ। ହେଲେ ତାହାର ସ୍ବାଦ ଭଲ ନ ଥିବାରୁ ଛୋଟ ପିଲା ହେଉ କି ବଡ଼ ଲୋକ ଖାଇବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତେଣୁ ମାଣ୍ଡିଆରେ କେକ୍‌ ପ୍ରସ୍ତୁତ କଲେ ଖାଇବାରେ ଆଗ୍ରହ ହେବ ବୋଲି ଚିନ୍ତା କରାଯାଇଥିଲା। ଏହାର ସ୍ବତନ୍ତ୍ର ପ୍ରସ୍ତୁତି ପ୍ରଣାଳୀ ରହିଛି। ଫ୍ୟାଟ ଭାଗ କମ ରହି କିଭଳି ସୁଆଦିଆ ହେବ ସେ ନେଇ ଗୁରୁତ୍ୱ ଦିଆଯାଇଛି। ଏହାକୁ ପରୀକ୍ଷା ମଧ୍ୟ କରାଯାଇଛି। ଏହା ଶିଶୁ ଓ ଅନ୍ୟମାନଙ୍କୁ ହେଉଥିବା ବିଭିନ୍ନ ରୋଗ ପ୍ରତିଷେଧକ ଭାବେ ମଧ୍ୟ କାମ କରିବ। ବଜାରରେ ମିଳୁଥିବା କେକ୍‌ଠାରୁ ଏହା ଅଧିକ ସୁଆଦିଆ ଓ କମ୍‌ ମୂଲ୍ୟ ରହିଛି। ଗୋଟିଏ କେକ୍‌ ପ୍ରତି ମାତ୍ର ୨ ଟଙ୍କା ରହିଛି। ଆଗକୁ ସରକାରଙ୍କ ସାଧାରଣ ବଣ୍ଟନ (ପିଡିଏସ୍‌) ଓ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ଏହି କେକ୍‌ ଦିଆଯିବାକୁ ଯୋଜନା ରହିଛି। ଏଥିପାଇଁ ସରକାରଙ୍କୁ ଅନୁରୋଧ କରାଯିବ। ୨୦୨୦ ଅଗଷ୍ଟ ମାସରେ ଇଣ୍ଟିଆନ ପେଟେନ ଅଫିସରେ ସ୍ବୀକୃତି ପାଇଁ ଆବେଦନ କରାଯାଇଥିଲା। ୨୦୨୧ ମାର୍ଚ୍ଚ ୩୧ରେ ଏହି ପ୍ରସ୍ତୁତି ପ୍ରଣାଳୀକୁ ସ୍ବୀକୃତି ମିଳିଥିବା ସେ କହିଛନ୍ତି।

Share