ଦୁଇ ଗ୍ରାମକୁ ରାଜସ୍ବ ଗ୍ରାମର ସ୍ବୀକୃତି

କେସିଙ୍ଗା,୨୬ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ପଞ୍ଚାୟତର କଛାରପଦର ଓ ଧୁଙ୍ଗିଆମୁଣ୍ଡା ଗ୍ରାମକୁ ରାଜ୍ୟ ସରକାର ରାଜସ୍ବ ଗ୍ରାମ ଭାବେ ବୁଧବାର ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଗ୍ରାମବାସୀଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି। କେସିଙ୍ଗା ତହସିଲ କାର୍ଯ୍ୟାଳୟ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ବାଗତ କରାଯାଇଥିଲା। ଏହି ଉଭୟ ଗ୍ରାମରେ ୩୫ ଶହରୁ ଊଦ୍ଧର୍‌ବ ଲୋକେ ବସବାସ କରନ୍ତି। କଛାରପଦର ଓ ଧୁଙ୍ଗିଆମୁଣ୍ଡା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବାକୁ ଦୀର୍ଘ ୨୦ବର୍ଷ ଧରି ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ। ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ନ ଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିଲେ। ଗ୍ରାମବାସୀ ଜିଲାପାଳଠାରୁ ରାଜସ୍ବ ବିଭାଗ ଓ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ଜିଲାପାଳ ରାଜ୍ୟ ସରକାରଙ୍କ ନିକଟକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିବା ପାଇଁ ଏକ ସର୍ଭେ କରି ପଠାଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଉଭୟ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ସ୍ବୀକୃତି ପ୍ରଦାନ କରିଥିବାରୁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଓ ଜିଲାପାଳ,କେସିଙ୍ଗା ତହସିଲଦାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜିଲାପାଳ ନିର୍ଦ୍ଦେଶ କ୍ରମେ କେସିଙ୍ଗା ତହସିଲଦାର ଯୁଗେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ରାଜସ୍ବ ନିରୀକ୍ଷକ ଡିଙ୍ଗର ପୁଟେଲ,ରାଜସ୍ବ ପରିଦର୍ଶକ ହିମାଂଶୁ ଶେଖର ପ୍ରଧାନ, ସହକାରୀ ରାଜସ୍ବ ନିରୀକ୍ଷକ ଶୁଭଚିନ୍ତକ ନାୟକ,ଅମିନ ଭୁବନେଶ୍ବର ହରପଲ, ପ୍ରଦୀପ ଠାକୁରଙ୍କ ସମେତ, ରେଙ୍ଗାଲି ଗ୍ରାମର ଗୌନ୍ତିଆ ଅଲେଖ ସାହା, ବାଲସି ସରପଞ୍ଚ ଭାରତୀ ସୁନା, ଭୁପିନ୍ଦର ସୁନା, ମେମ୍ବର ଅହଲ୍ୟା ମାଝି, ନରସିଂହ ମାଝି, ଲଛମନ ଶବର,ଶିବ ମାଝି, ମୁରଲୀ ଶବର,ଦଶରଥ ସାହାଙ୍କ ସମେତ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରସ୍ଥାବିତ ନୂତନ ମୌଜାର ସୀମା ନିର୍ଦ୍ଧାରଣ କରାଯାଇଥିଲା। ଏହି ଦୁଇ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇବାରୁ ରାଜସ୍ବ ନିରୀକ୍ଷକ ଡିଙ୍ଗର ପୁଟେଲ ଘୋଷଣା କରି ଗ୍ରାମବାସୀଙ୍କ ନିଜସ୍ବ ସୁବିଧା ସୁଯୋଗ ପାଇବେ ବୋଲି ପ୍ରକାଶ କରିଥିଲେ।