ପ୍ଲାସମିଡ୍ମାନେ କ୍ରୋମୋଜୋମାଲ ଡିଏନ୍ଏ ଉପରେ ନିର୍ଭର ନ କରି ସ୍ବାଧୀନଭାବେ ନିଜ ପ୍ରତିରୂପ ତିଆରି କରି ପାରନ୍ତି।ବ୍ୟାକ୍ଟେରିଆ ଓ ଆର୍କିଆ ଅଣୁଜୀବଙ୍କଠାରେ ପ୍ଲାସମିଡ୍ ମିଳିଥାଏ। ଅତିକମରେ ଗୋଟିଏ ଦରକାରୀ ଜିନ୍ ସେମାନେ ଆମନ୍ତ୍ରକ କୋଷିକା ନିମନ୍ତେ ଧାରଣ କରିଥାନ୍ତି।
୧୯୭୨ ମସିହାରେ ଆମେରିକାର ଅନୁବଂଶ ବିଜ୍ଞାନ ବିଶାରଦ ଷ୍ଟାନ୍ଲେ ନର୍ମାନ୍ କୋହେନ ଓ ହରବର୍ଟ ବୋୟର ପ୍ରଥମ ରିକ୍ମ୍ବିନାଣ୍ଟ ଡିଏନ୍ଏ ତିଆରି କରିଥିଲେ। ସେମାନେ ଆଣ୍ଟିବାୟୋଟିକକୁ ପ୍ରତିରୋଧ କରୁଥିବା ବିଦେଶୀ ଡିଏନ୍ଏର ଜିନ୍ ଓ ସାଲମୋନେଲା ଟାଇଫିମୁରିୟମ ଗ୍ରାମ୍ ନେଗେଟିଭ ବୀଜାଣୁର ପ୍ଲାସମିଡ୍ର ପାଲିଣ୍ଡ୍ରୋମିକ୍ ସ୍ଥାନକୁ ରେଷ୍ଟ୍ରିକସନ ଏଞ୍ଜାଇମ୍ ରୂପକ ଆଣବିକ କଇଁଚି ସାହାଯ୍ୟରେ କାଟିବାପରେ ଲିଗେଜ୍ ଆଣବିକ ଅଠା ଦ୍ୱାରା ସନ୍ନିବିଷ୍ଟ କରାଇ ରିକ୍ମ୍ବିନାଣ୍ଟ ଡିଏନ୍ଏ ସୃଷ୍ଟି କରିଥିଲେ ଏବଂ ପରେ ସେହି ରୂପାନ୍ତରିତ ଡିଏନ୍ଏକୁ ଇ. କୋଲି ବୀଜାଣୁ ଦେହରେ ସମ୍ମିଳିତ କରାଇ ତାହାର ଅନେକ ଅବିକଳ କ୍ଲୋନ ସବୁ ତିଆରି କରିପାରିଥିଲେ।
କୋହେନଙ୍କ ଜିନ୍ ପ୍ରତିରୋପଣ ପଦ୍ଧତି ଆବିଷ୍କାର ପରେ ଜୈବ ପ୍ରଯୁକ୍ତି ବିଦ୍ୟା ବିକାଶର ଶିଖର ଛୁଇଁଛି। କୃଷି କ୍ଷେତ୍ରରେ ଜେନେଟିକ୍ ଯାନ୍ତ୍ରିକ ବିଜ୍ଞାନ ସାହାଯ୍ୟରେ କୀଟମାନଙ୍କୁ ପ୍ରତିରୋଧ କରୁଥିବା ଟ୍ରାନ୍ସଜେନିକ୍ ବୃକ୍ଷ, ବିଟ୍ କଟନ, ସୁବର୍ଣ୍ଣ ଧାନ ଆଦି ଜିନ୍ ରୂପାନ୍ତରିତ କୃଷି କାର୍ଯ୍ୟ କରାଗଲାଣି। ଜିନ୍ ଚିକିତ୍ସା ପଦ୍ଧତିରେ ଜର୍ମାଲିନ୍ ଜିନ୍ ଥେରାପି ଓ ସୋମାଟିକ୍ ଜିନ୍ ଥେରାପି ଆରମ୍ଭ କରାଗଲାଣି। ହେପାଟାଇଟିସ ‘ବି’ ଟିକା ଓ କୋଭିଡ -୧୯ ଟିକା ପାଇଁ ମଧ୍ୟ ଏହି ବିଦ୍ୟା ପ୍ରୟୋଗ କରାଯାଉଛି।ଜେନେଟିକ ଯାନ୍ତ୍ରିକ ବିଜ୍ଞାନ ପ୍ରୟୋଗ କରି ହ୍ୟୁମାନ ଇନ୍ସୁଲିନ ହର୍ମୋନ ତିଆରି ସରିଲାଣି। ପଶୁମାନଙ୍କ ଜିନୋମରେ ବିଦେଶୀ ଜିନ୍ ସନ୍ନିବିଷ୍ଟ କରି ଟ୍ରାନ୍ସଜେନିକ୍ ପଶୁ ମଧ୍ୟ ସର୍ଜନା କରାହୋଇଛି। ତନ୍ମଧ୍ୟରେ ଟ୍ରାନ୍ସଜେନିକ ମୂଷା, ମେଣ୍ଢା, ଘୁଷୁରି, ଛେଳି, ଗାଈ ଓ ମାଛ ଅନ୍ୟତମ। ରିକ୍ମ୍ବିନାଣ୍ଟ ଡିଏନ୍ଏ ଜ୍ଞାନ କୌଶଳକୁ ସଠିକ ଭାବେ ବ୍ୟବହାର କଲେ ମାନବତାର ଅଶେଷ ହିତ ସାଧନ କରାଯାଇପାରି।
(ଶେଷ ଭାଗ) -ଡ. ଶୈଳେନ୍ଦ୍ର ନାରାୟଣ ସ୍ବାଇଁ
ରସାୟନ ବିଜ୍ଞାନ ଅଧ୍ୟାପକ, ସରକାରୀ
ମହିଳା କନିଷ୍ଠ ମହାବିଦ୍ୟାଳୟ,
ସୁନ୍ଦରଗଡ଼, ମୋ : ୯୯୩୮୭୮୩୦୫୧