ପାଠପଢ଼ାରେ ସ୍ମାର୍ଟଫୋନ୍‌ ବ୍ୟବହାର କରିବାକୁ ପରାମର୍ଶ

କଟକ,୧୬।୭(ସୁପ୍ରିୟା ପ୍ରିୟଦର୍ଶିନୀ)ଆଭାସି ମାଧ୍ୟମରେ ଶିକ୍ଷାଦାନ ପ୍ରକ୍ରିୟାକୁ ସୁଦୂରପ୍ରସାରୀ କରିବା ତଥା ଛାତ୍ରୀଛାତ୍ରମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ଲକ୍ଷ୍ୟନେଇ ରାଜ୍ୟ ସରକାର ସ୍ମାର୍ଟଫୋନ ବିତରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କଟକ ଜିଲା ସମଗ୍ର ଶିକ୍ଷା ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଜିର ଇଣ୍ଟରନେଟ୍‌ ଯୁଗରେ ଦୃଷ୍ଟିବାଧିତ ଛାତ୍ରୀଛାତ୍ରମାନେ ଯେପରି ସ୍ମାର୍ଟ ଫୋନର ସୁବିଧା ପାଇପାରିବେ ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାର ବିଭିନ୍ନ ବିଦ୍ୟାଳୟର ୫୬ ଜଣ ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରେଭେନ୍‌ଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୮ ଜଣ, ଶୈଳବାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୧ ଜଣ ଏବଂ ଜିଲାର ଅନ୍ୟାନ୍ୟ ବିଦ୍ୟାଳୟର ୭ ଜଣ ଦୃଷ୍ଟିବାଧିତ ଛାତ୍ରୀଛାତ୍ର ସାମିଲ ଥିଲେ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ତତ୍ତ୍ୱାବଧାନରେ ସ୍ମାର୍ଟଫୋନ ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଜିଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଅତିରିକ୍ତ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ସ୍ମାର୍ଟଫୋନ ବଣ୍ଟନ କରିବା ସହ ପାଠପଢା କ୍ଷେତ୍ରରେ ଏହାର ବ୍ୟବହାର କରିବା ପାଇଁ ଉପଦେଶ ଦେଇଥିଲେ। ଏହି ଅବସରରେ ବର୍ଲିନଠାରେ ଅନୁଷ୍ଠିତ ଅଲିମ୍ପିକ୍ସ କ୍ରୀଡାର ସାଇକେଲ ଚାଳନା ପ୍ରତିଯୋଗିତାରେ ଭାଗନେଇ ରୌପ୍ୟପଦକ ଜିତିଥିବା ଛାତ୍ରୀ କଳ୍ପନା ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚିତ୍ତରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share