ମାଲକାନଗିରି,୧୭ା୭(ଦୁର୍ଯ୍ୟୋଧନ ପାତ୍ର): ଓଡ଼ିଶାରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ କୁଇ ଭାଷାଭାଷୀ ଜନଜାତି ବସବାସ କରୁଛନ୍ତି। ବିଶେଷକରି କନ୍ଧ ସମ୍ପ୍ରଦାୟର ଜନଜାତି ଏହି ଭାଷା ବ୍ୟବହାର କରନ୍ତି। ଏହା ରାଷ୍ଟ୍ରୀୟ ଭାଷା ମାନ୍ୟତା ପାଇ ନ ଥିବାରୁ ମାଲକାନଗିରି ଜିଲା କନ୍ଧ ସମାଜ ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ଦାବିକରି ଆସୁଥିଲେ। ଗତ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ରକୁ ସୁପାରିସ କରିଥିବାରୁ ମାଲକାନଗିରି କନ୍ଧ ସମାଜ ସରକାରଙ୍କୁ ଧନ୍ୟବାଦ ଦେଇଛିି। କନ୍ଧ ସମାଜ ସଭାପତି ଗୋପୀ ପାଙ୍ଗୀ ରବିବାର ମାଲକାନଗିରି ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କୁଇ ଭାଷାକୁ ଆହୁରି ଲୋକାଭିମୁଖି କରିବା ଲକ୍ଷ୍ୟରେ ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ସେ ଦାବି କରିଛନ୍ତି।