Categories: ଜାତୀୟ

କଂଗ୍ରେସରୁ ଜାଖରଙ୍କୁ ନିଲମ୍ବନ ଲାଗି ସୁପାରିସ

ନୂଆଦିଲ୍ଲୀ,୨୭।୪: ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖରଙ୍କୁ ୨ ବର୍ଷ ପାଇଁ ଦଳରୁ ନିଲମ୍ବନ କରିବାକୁ ଏ.କେ. ଆଣ୍ଟୋନିଙ୍କ ଅଧ୍ୟକ୍ଷତାରେ ଗଠିତ ଶୃଙ୍ଖଳାଗତ କମିଟି ମଙ୍ଗଳବାର ସୁପାରିସ କରିଛି। ଏହା ବ୍ୟତୀତ କେରଳର ବରିଷ୍ଠ ନେତା କେ.ଭି. ଥୋମାସଙ୍କୁ ସମସ୍ତ ପଦବୀରୁ ବାଦ୍‌ ଦେବା ଲାଗି ସୁପାରିସ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହା ଉପରେ ନିଷ୍ପତ୍ତି ନେବେ। ଜାଖର କେତେକ ଦଳବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ଏଆଇସିସିର ପଞ୍ଜାବ ଦାୟିତ୍ୱରେ ଥିବା ହରିଶ ଚୌଧରୀ ସୋନିଆଙ୍କୁ ଜଣାଇବା ପରେ ସେ ଉକ୍ତ ପତ୍ର ଉପରେ ବିଚାର ଲାଗି ଶୃଙ୍ଖଳାଗତ କମିଟିକୁ ପଠାଇଥିଲେ। ସେହିପରି ମେଘାଳୟରେ ଦଳୀୟ ନିର୍ଦ୍ଦେଶର ଅବମାନନା କରି ଶାସକ ମେଘାଳୟ ଗଣତନ୍ତ୍ରିକ ମେଣ୍ଟକୁ ସମର୍ଥନ ଜଣାଇଥିବା ୫ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିବା ଲାଗି ମଧ୍ୟ କମିଟି ସୁପାରିସ କରିଛି।

Share