କାର୍ଯ୍ୟକାରୀ ହେଉନି ତଦନ୍ତ କମିଶନଙ୍କ ସୁପାରିସ

କଟକ,୨୬ା୯ (କାର୍ତ୍ତିକ ସାହୁ):୧୯୮୯ ମସିହାରୁ ଅଦ୍ୟାବଧି ଦୀର୍ଘ ୩୫ ବର୍ଷ ମଧ୍ୟରେ ରାଜ୍ୟରେ ବିଷାକ୍ତ ମଦମୃତ୍ୟୁ ଘଟଣାରେ ୨୮୭ ଜଣଙ୍କ ପ୍ରାଣହାନି ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମାମଲାଗୁଡ଼ିକର ତଦନ୍ତ ପାଇଁ ୧୧ଟି ତଦନ୍ତ କମିଶନ ଗଠନ କରାଯାଇଥିବା ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାଯାଇଛି। ତେବେ ସୂଚନା ଆଇନ ବଳରେ ତଥ୍ୟ ହାସଲ କରିଥିବା ଆଇନଜୀବୀ ତଥା ପ୍ରଦେଶ କଂଗ୍ରେସ କର୍ମକର୍ତ୍ତା ନିଶିକାନ୍ତ ମିଶ୍ର ପ୍ରତି ମାମଲାରେ ତଦନ୍ତ କମିଶନ ପ୍ରଦାନ କରିଥିବା ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ବାଲେଶ୍ୱର ଜିଲା ନୀଳଗିରିରେ ବିଷାକ୍ତ ମଦ ପିଇ ୧୯୮୯ ମସିହା ଫେବୃୟାରୀ ୨ରେ ୧୪ ଜଣଙ୍କ ପ୍ରାଣହାନୀ ଘଟିଥିଲା। ବାଲେଶ୍ୱର ଅତିରିକ୍ତ ଜିଲାପାଳ ଘଟଣାର ତଦନ୍ତ କରିଥିଲେ। ଅଦ୍ୟାବଧି ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁି। ଭଦ୍ରକରେ ୧୯୯୦ ମସିହା ମାର୍ଚ୍ଚ ୧୫ରେ ବିଷାକ୍ତ ମଦ ପିଇ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। କଟକର ତତ୍କାଳୀନ ଆର୍‌ଡିସି ଏହାର ତଦନ୍ତ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ୧୯୯୨ ମସିହା ମେ ମାସରେ କଟକରେ ବିଷାକ୍ତ ମଦ ପିଇ ୧୩୪ ଜଣଙ୍କ ଜୀବନ ଯାଇଥିଲା। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବି.କେ. ବେହେରାଙ୍କ ଅଧ୍ୟକ୍ଷତାରେ ଏହାର ତଦନ୍ତ କରାଯାଇଥିଲା। ଏହି ଘଟଣାରେ ୧୧୦ ଜଣ ମୃତକଙ୍କ ପରିବାରକୁ ୫ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଥିଲା। ଗଞ୍ଜାମର ପୁରୁଷୋତ୍ତମପୁରରେ ୧୯୯୪ ମସିହା ଅଗଷ୍ଟରେ ମଦ ପିଇ ୪ ଜଣଙ୍କ ପ୍ରାଣହାନୀ ଘଟିଥିଲା। ପୁଣି ଭଦ୍ରକରେ ୧୯୯୬ ଏପ୍ରିଲରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅବକାରୀ କମିଶନର ଏହାର ତଦନ୍ତ କରିଥିବା ବେଳେ କାହାରିକୁ କ୍ଷତିପୂରଣ ଦିଆଯାଇ ନ ଥିଲା। ସେହିପରି ୨୦୦୧ ଫେବୃୟାରୀରେ ପୁରୀରେ ୨୦ ଜଣ ଓ ଖୋର୍ଦ୍ଧାରେ ୧୦ ଜଣ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିଲେ। ୨୦୦୬ ମାର୍ଚ୍ଚ ଓ ଏପ୍ରିଲ୍‌ରେ ଗଞ୍ଜାମରେ ମଦ ପିଇ ୩୦ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ୨୩ ଜଣ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ୨୦୦୯ ମସିହା ମେ ୪ ଓ ୫ ତାରିଖରେ ଖୋର୍ଦ୍ଧା ଜିଲାର ବଡ଼ପୋଖରିଆରେ ବିଷାକ୍ତ ମଦ ପିଇ ୪ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ମିଳିଥିଲା। ସେହିପରି ୨୦୦୯ ଜୁନ୍‌ ୨୫ ଓ ୨୬ରେ ବଲାଙ୍ଗିରରେ ହୋଇଥିବା ମଦମୃତ୍ୟୁ ଘଟଣାରେ ୭ଜଣଙ୍କ ଜୀବନ ଯାଇଥିବାବେଳେ ମୃତକଙ୍କ ପରିବାର ସଦସ୍ୟକୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ୨୦୧୦ ଫେବୃୟାରୀ ୨୭ରେ କଟକ ଜିଲାର ନାନପୁର ଓ କୁକୁଡାଙ୍ଗରେ ବିଷାକ୍ତ ମଦ ପିଇ ୨ ଜଣ ମୃତ୍ୟୁବରଣ କରିଥିଲେ। ୨୦୧୨ ଫେବୃୟାରୀ ୬ରୁ ୯ ତାରିଖ ମଧ୍ୟରେ କଟକରେ ବିଷାକ୍ତ ମଦ ପିଇ ୪୩ ଜଣଙ୍କ ପ୍ରାଣହାନୀ ହୋଇଥଧ୍‌ତ୍ଲା। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ. ଏସ୍‌. ନାଇଡୁ ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ।