Categories: ବାଣିଜ୍ୟ

ଟିକସ ବ୍ୟବସ୍ଥାରେ ସ୍ପଷ୍ଟତା ଆଣିବାକୁ ସୁପାରିସ

ନୂଆଦିଲ୍ଲୀ,୩।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନଙ୍କ ଅଧ୍ୟକ୍ଷତାରେ ବୁଧବାର ଭିଡିଓ କନ୍‌ଫରେନ୍ସରେ ଜିଏସ୍‌ଟି ପରିଷଦର ୫୧ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ଯୋଗଦେଇଥିଲେ। ସେହିଭଳି ଅର୍ଥ ମନ୍ତ୍ରଣାଳୟ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଜୁଲାଇ ୧୧ ରେ ୫୦ତମ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କ୍ୟାସିନୋ ବା ଜୁଆଖେଳ ହେଉଥିବା ସ୍ଥାନ, ରେସ୍‌ କୋର୍ସ ବା ଘୋଡ଼ା ଦୌଡ଼ ପ୍ରତିଯୋଗିତା ହେଉଥିବା ସ୍ଥାନ ଏବଂ ଅନ୍‌ଲାଇନ ଗେମିଂ ଉପରେ ମନ୍ତ୍ରୀ ଗୋଷ୍ଠୀର ଦ୍ୱିତୀୟ ରିପୋର୍ଟ ଉପରେ ବିଚାରବିମର୍ଶ କରାଯାଇଥିଲା। ଏପରିକି କ୍ୟାସିନୋ, ରେସ୍‌ କୋର୍ସ ଏବଂ ଅନ୍‌ଲାଇନ ଗେମିଂରେ ଯୋଗାଣ ହେଉଥିବା କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଦାବି ଉପରେ ୨୮% ଜିଏସ୍‌ଟି ଲାଗୁ ନିମନ୍ତେ ପରିଷଦ ସୁପାରିସ କରିଥିଲା। ସେହିପରି ଏହି କାର୍ଯ୍ୟକଳାପ ଏକ କୌଶଳଯୁକ୍ତ କ୍ରୀଡ଼ା କିମ୍ବା ଭାଗ୍ୟ ଆଧାରିତ ଯାହା ହୋଇଥାଉ ପଛେ ସମ୍ପୂର୍ଣ୍ଣ ନାମମାତ୍ର ମୂଲ୍ୟ ଉପରେ ଉପରୋକ୍ତ ପରିମାଣର ଟିକସ ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏ ସଂକ୍ରାନ୍ତରେ ସ୍ପଷ୍ଟତା ଆଣିବା ଲାଗି ମଧ୍ୟ ଆଇନରେ ସଂଶୋଧନ ପାଇଁ ପରିଷଦ ସୁପାରିସ କରିଥିଲା। ତଦନୁଯାୟୀ ଜିଏସ୍‌ଟି ପରିଷଦର ୫୧ତମ ବୈଠକରେ କ୍ୟାସିନୋ, ରେସ୍‌ କୋର୍ସ ଏବଂ ଅନ୍‌ଲାଇନ ଗେମିଂ ଯୋଗାଣ ଉପରେ ଲାଗୁ ଟିକସ ବ୍ୟବସ୍ଥାକୁ ସ୍ପଷ୍ଟ କରିବା ଲାଗି ସିଜିଏସ୍‌ଟି ଆଇନ୨୦୧୭ର ଅନୁଚ୍ଛେଦ ୩ ସମେତ ସିଜିଏସ୍‌ଟି ଏବଂ ଆଇଜିଏସ୍‌ଟି ଆଇନ-୨୦୧୭ରେ ନିର୍ଦ୍ଦିଷ୍ଟ ସଂଶୋଧନ ପାଇଁ ସୁପାରିସ କରାଯାଇଛି।

Share