ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ହାଟଡ଼ିହୀ,୨୯l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ହୀ ବ୍ଲକ୍‌ ଶଢ଼ା ପଞ୍ଚାୟତରେ ୨୦୧୭-୧୮ ରୁ ୨୦୨୦-୨୧ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଆର୍ଥିକ ଅନିୟମିତତା ଏବଂ ପ୍ରକଳ୍ପ ଅସମ୍ପୂର୍ଣ ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାୟର ହୋଇଥିଲା। ବଳରାମ ଦାସ ଏବଂ ଅନ୍ୟ ୭ ଜଣଙ୍କ ଅଭିଯୋଗ ଆଧାରରେ ଲୋକାୟୁକ୍ତରେ କେସ (ନଂ. ଏଲୱାଇ ୬୧୩/୨୦୨୧) ରୁଜୁ ହୋଇଥିଲା। ୨୨ ଡିସେମ୍ବର ୨୦୨୩ରେ ଉକ୍ତ ମାମଲାର ଶୁଣାଣି ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଗାଇଡ୍‌ଲାଇନ ପାଳନ କରି ନ ଥିବା ଏବଂ କାଗଜପତ୍ର କରି ନ ଥିବା ଦୋଷୀ କର୍ମଚାରୀ ଏବଂ ବିଜୁ ପକ୍କାଘର ଯୋଜନାରେ ଅନିୟମିତା ଅଭିଯୋଗ ନେଇ ଜଣେ ଯନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ପଞ୍ଚାୟତ ଏବଂ ପାନୀୟ ଜଳ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ଲୋକାୟୁକ୍ତ ସୁପାରିସ କରିଛନ୍ତି।
ପ୍ରକାଶ ଯେ, ୫ ଅପ୍ରେଲ ୨୦୨୨ରେ ହାଟଡ଼ିହୀ ବିଡିଓ ଏବଂ କେନ୍ଦୁଝର ଜିଲାପାଳଙ୍କୁ ଅଭିଯୋଗର ଉତ୍ତର ରଖିବାକୁ ଲୋକାୟୁକ୍ତ ନୋଟିସ୍‌ ଜାରି କରିଥିଲେ। ୬ ଜୁନ୍‌ ୨୦୨୨ରେ ଜିଲାପାଳ ଓ ବିଡିଓ ଲିଖିତ ଉତ୍ତର ରଖିଥିଲେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ୧ ମଇ ୨୦୨୩ରେ ତଦନ୍ତକାରୀ ସଂସ୍ଥା ୬୧ଟି ପ୍ରକଳ୍ପର ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟକୁ ନେଇ ୨୬ ମଇ ୨୦୨୩ରେ ଲୋକାୟୁକ୍ତଙ୍କ ତିନି ସଦସ୍ୟ ବିଶିଷ୍ଟ ବେଞ୍ଚ ତିନି ଜଣ ପୂର୍ବତନ ବିଡିଓ, ତିନି ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ, ଦୁଇ ଯନ୍ତ୍ରୀ, ପୂର୍ବତନ ପିଇଓ, ପୂର୍ବତନ ସରପଞ୍ଚଙ୍କୁ ନୋଟିସ ଜାରି କରିଥିଲେ। ଲୋକାୟୁକ୍ତଙ୍କ ତରଫରୁ ଓଡ଼ିଶା ପଞ୍ଚାୟତ ଏବଂ ପାନୀୟ ଜଳ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ମଧ୍ୟ ନୋଟିସ୍‌ କରି ମତ ଲୋଡ଼ାଯାଇଥିଲା। ଲୋକାୟୁକ୍ତଙ୍କ ନୋଟିସ ପୂର୍ବରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ନାନୀନ୍ଦ୍ର ୯ ମଇ ୨୦୨୩ରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ପୂର୍ବତନ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରା, ଜ୍ୟୋତି ରଞ୍ଜନ ସାମନ୍ତରାୟ, ପୂର୍ବତନ ସରପଞ୍ଚ ଜୟନ୍ତୀ ସାମଲ, ପୂର୍ବତନ ପିଇଓ ଡମ୍ବରୁଧର ପଟ୍ଟନାୟକ, ବିଡିଓ ସୁଶାନ୍ତ ବାରିକ, ସହକାରୀ ଯନ୍ତ୍ରୀ ଆଶିଷ ବାନାର୍ଜୀ ଲିଖିତ ଜବାବ ପ୍ରଦାନ କରିଥିଲେ। ମାମଲାର ଶୁଣାଣି କରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଗାଇଡ୍‌ଲାଇନ ପାଳନ କରି ନ ଥିବା ଏବଂ କାର୍ଯ୍ୟକାରୀ ପ୍ରକଳ୍ପ ସମ୍ବଦ୍ଧୀୟ କାଗଜପତ୍ର କରି ନ ଥିବା ଦୋଷୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ପଞ୍ଚାୟତ ଏବଂ ପାନୀୟ ଜଳ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ଲୋକାୟୁକ୍ତ ସୁପାରିସ କରିଛନ୍ତି। ଏଥିସହ ୫ ବିଜୁ ପକ୍କା ଘର ଯୋଜନାରେ ଆବାସ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଏମଜିଏନ୍‌ଆର୍‌ଇଜିଏସ୍‌ରେ ଏକ ସ୍ପଷ୍ଟ ଗାଇଡ଼ଲାଇନ କରିବାକୁ ମଧ୍ୟ କହିଛନ୍ତି।