ନୂଆଦିଲ୍ଲୀ,୧୫।୧୨: କୌଣସି ରାଜ୍ୟରେ ତଦନ୍ତ କରିବାକୁ ହେଲେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ। ଏହାକୁ ଜେନେରାଲ କନ୍ସେଣ୍ଟ ବା ସାଧାରଣ ସମ୍ମତି କୁହାଯାଏ। କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ ସିବିଆଇକୁ ବ୍ୟବହାର କରୁଥିବା ଅଭିଯୋଗ ଆଣି ଗତ କିଛିବର୍ଷ ମଧ୍ୟରେ ୮ ରାଜ୍ୟ (ମିଜୋରାମ, ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ଝାଡ଼ଖଣ୍ଡ ଓ ପଞ୍ଜାବ) ସରକାର ଏହି ଜେନେରାଲ କନ୍ସେଣ୍ଟ ପ୍ରତ୍ୟାହାର କରିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବିରୋଧୀ ଦଳ ଶାସିତ ରାଜ୍ୟ। ଏହି ରାଜ୍ୟ ସରକାରମାନେ ବାଛି ବାଛି କେତେକ ନିର୍ଦ୍ଦିଷ୍ଟ ମାମଲାରେ ହିଁ ତଦନ୍ତ ପାଇଁ ସିବିଆଇକୁ ସାଧାରଣ ସମ୍ମତି ପ୍ରଦାନ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ରବିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ବିବୃତିରେ କହିଛନ୍ତି, ସେମାନେ ସାଧାରଣ ସମ୍ମତି ପ୍ରତ୍ୟାହାର କରିଥିବା ରାଜ୍ୟଗୁଡ଼ିକ ଏହାର ପୁନର୍ବିଚାର କରନ୍ତୁ। ଏଭଳି ବାଛବିଚାର କରିବା କେତେ ଯୁକ୍ତିଯୁକ୍ତ ତାହା ସେମାନେ ଶାସନତନ୍ତ୍ର, ସମାଜ ଏବଂ ସର୍ବୋପରି ରାଷ୍ଟ୍ରକୁ ଦୃଷ୍ଟିରେ ରଖି ବିଚାର କରନ୍ତୁ। ତଦନ୍ତକାରୀ ସଂସ୍ଥାର ଇନ୍ଭେଷ୍ଟିଚ୍ୟୁର୍ ସେରେମନିରେ କେନ୍ଦ୍ରମନ୍ତ୍ରୀ ୪୭ ଜଣ ସିବିଆଇ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ମେଡାଲ ପ୍ରଦାନ ଅବସରରେ ସେ ଏହି ମନ୍ତବ୍ୟ ଦେଇଥିଲେ।