Categories: ଜାତୀୟ

କାଉଡ଼ିଆ ଯାତ୍ରା ନିଷ୍ପତ୍ତିର ପୁନର୍ବିଚାର କର

ନୂଆଦିଲ୍ଲୀ, ୧୭।୭: କରୋନା ସମୟରେ ଉତ୍ତରପ୍ରଦେଶ ସରକାର କାଉଡ଼ିଆ ଯାତ୍ରାକୁ ଅନୁମତି ଦେଇଥିବାରୁ ଏହାର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ କହିଛନ୍ତି। ସୋମବାର ସୁଦ୍ଧା ଯଦି ସରକାର କାଉଡ଼ିଆ ଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନ ନିଅନ୍ତି, ତେବେ ଅଦାଲତ ନିର୍ଦ୍ଦେଶନାମା ଜାରି କରିବେ ବୋଲି କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ମହାମାରୀ ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ଜୀବନ ଧାରଣ ଅଧିକାର ଗୁରୁତ୍ୱପୂର୍ଣ୍ଣ ବୋଲି ଜଷ୍ଟିସ୍‌ ଆର୍‌.ଏଫ୍‌, ନରିମାନ ଏବଂ ବି.ଆର୍‌, ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଜୁଲାଇ ୨୫ରୁ କାଉଡ଼ିଆ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଏହାଦ୍ୱାରା କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରାଯାଉଛି। ତେଣୁ ଏହି ଯାତ୍ରା ଉପରେ ରୋକ ଲଗାଇବାକୁ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରାଯାଇଥିଲା। ଶ୍ରାବଣ ମାସରେ ହେଉଥିବା କାଉଡ଼ିଆ ଯାତ୍ରାରେ ଲକ୍ଷ ଲକ୍ଷ ଶିବଭକ୍ତ ସାମିଲ ହୋଇଥାନ୍ତି। ସେମାନେ ଗଙ୍ଗାନଦୀରୁ ଜଳ ନେଇ ଚାଲି ଚାଲି ଶୈବ ପୀଠକୁ ଯାଇ ସେଠାରେ ଜଳଲାଗି କରିଥାନ୍ତି। କରୋନା ଯୋଗୁ ଗତବର୍ଷ ଏହି ଯାତ୍ରା ବନ୍ଦ ଥିଲା। ଚଳିତବର୍ଷ ଉତ୍ତରାଖଣ୍ଡ ସରକାର କାଉଡ଼ିଆ ଯାତ୍ରାକୁ ବନ୍ଦ କରିଛନ୍ତି।

Share