ବେଜିଂ: ପ୍ରତିଯୋଗିତାରେ ପ୍ରତିଟି ସେକେଣ୍ଡ ବହୁତ ମୂଲ୍ୟବାନ ହୋଇଥାଏ। ଯିଏ ଯେତେ କମ୍ ସମୟରେ ପ୍ରତିଯୋଗିତା ଶେଷ କରିଥାଏ, ସେ ହିଁ ଉତ୍ତୀର୍ଣ୍ଣ ହୁଏ। ଚାଇନାର ଜଣେ ୯ ବର୍ଷୀୟ ବାଳକ ୪ ସେକେଣ୍ଡରେ ରୁବିସ୍କ କ୍ୟୁବ୍ ସମାଧାନ କରି ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ଏନେଇ ଏକ ଭିଡିଓ ଗିନିଜ୍ ୱାଲର୍ଡ ରେକର୍ଡ ତା’ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛି। ରୁବିସ୍କ କ୍ୟୁବ୍ ସମାଧାନ କରିବା ଅନେକଙ୍କ ପକ୍ଷରେ ସହଜ ହୋଇ ନ ଥାଏ। ତାକୁ ବୁଝି ସମାଧାନ କରିବାକୁ ସମୟ ଲାଗିଥାଏ। ହେଲେ ୯ ବର୍ଷୀୟ ଇହେଙ୍ଗ ୱାଙ୍ଗଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ସେ ନିକଟରେ ମାଲେସିଆର କୁଆଲାଲମପୁରଠାରେ ୩.୯୦ ସେକେଣ୍ଡରେ ରୁବିସ୍କ କ୍ୟୁବ୍ ସମାଧାନ କରି ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ସେ ଆମେରିକା ମାସ୍କ ପର୍କ ଏବଂ ପୋଲାଣ୍ଡର ଟାଏମୋନ୍ କୋଲାସିସ୍କିଙ୍କ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କୁ ଏହି କ୍ୟୁବ ସମାଧାନ ପାଇଁ ୫ ଥର ସୁଯୋଗ ମିଳିଥିଲା। ସେ ପ୍ରଥମେ ୪.୩୫, ୩.୯୦, ୪.୪୧, ୫.୩୧ ଏବଂ ୬.୧୬ ସେକେଣ୍ଡରେ କ୍ୟୁବ୍ ସମାଧାନ କରିଥିଲେ। ଏହା ମଧ୍ୟରୁ ସବୁଠାରୁ କମ୍ ସମୟରେ ସମାଧାନ ହୋଇଥିବା ପଜଲକୁ ତାଙ୍କ ରେକର୍ଡ ହିସାବରେ ନିଆଯାଇଥିଲା। ଏହି ଭିଡିଓରେ ଜଣେ ବ୍ୟକ୍ତି ଲେଖିଛନ୍ତି, ସେ ଜଣେ କ୍ୟୁବର, ହେଲେ ସେ ଏତେ କମ୍ ସମୟରେ କ୍ୟୁବ୍ ସମାଧାନ କରିପାରିବେନି। ଏହା ତାଙ୍କ ପାଇଁ ପ୍ରେରଣାଦାୟକ।