Categories: ଜାତୀୟ

ତ୍ରିରଙ୍ଗା ଉଡ଼ାଇ ରେକର୍ଡ

ଜଗଦୀଶପୁର,୨୪।୪: ବିହାରର ଜଗଦୀଶପୁରରେ ଶନିବାର ୭୭,୭୦୦ ଲୋକ ଏକସଙ୍ଗେ ଭାରତୀୟ ଜାତୀୟ ପତାକା (ତ୍ରିରଙ୍ଗା) ଉଡ଼ାଇ ୧୮ ବର୍ଷ ପୂର୍ବେ ପାକିସ୍ତାନ କରିଥିବା ରେକର୍ଡକୁ ଭଙ୍ଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଉପସ୍ଥିତ ଥିଲେ। ୧୮୫୭ ବିଦ୍ରୋହର ଅନ୍ୟତମ ନାୟକ ଥିଲେ ଜଗଦୀଶପୁରର ତତ୍କାଳୀନ ରାଜା ବୀର କୁନ୍‌ଓ୍ବାର ସିଂ। ତାଙ୍କର ୧୬୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସାମୂହିକ ଭାବେ ତ୍ରିରଙ୍ଗା ଉଡ଼ାଯାଇଥିଲା। ଭାରତ ସ୍ବାଧୀନତାର ୭୫ତମ ବାର୍ଷିକ ଅବସରରେ ପାଳନ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ର ଏହା ଅଂଶବିଶେଷ। ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଆର୍‌.କେ. ସିଂ, ନିତ୍ୟାନନ୍ଦ ରାୟ, ବିହାରର ବରିଷ୍ଠ ଭାଜପା ନେତା, ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ, ରେଣୁ ଦେବୀ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ପ୍ରମୁଖ ଉପସ୍ଥିତ ରହି ବନ୍ଦେ ମାତରମ୍‌ ସଙ୍ଗୀତ ସହ ୫ ମିନିଟ ଯାଏ ତ୍ରିରଙ୍ଗା ଉଡ଼ାଇଥିଲେ। ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ପାଇଁ ପର୍ଯ୍ୟବେକ୍ଷଣ ନିମନ୍ତେ ଅଂଶଗ୍ରହଣକାରୀ ସ୍ବତନ୍ତ୍ର ବ୍ୟାଣ୍ଡ୍‌ ପିନ୍ଧିବା ସହ ସେଠାରେ କ୍ୟାମେରା ଟ୍ରାପ୍‌ ଲଗାଯାଇଥିଲା। ୨୦୦୪ରେ ଲାହୋରରେ ୫୬,୦୦୦ ପାକିସ୍ତାନୀ ସେମାନଙ୍କ ଜାତୀୟ ପତାକା ଉଡ଼ାଇ ବିଶ୍ୱ ରେକର୍ଡ କରିଥିଲେ।

Share