Categories: ବାଣିଜ୍ୟ

ରେକର୍ଡ ପରିମାଣର ସୁନା କ୍ରୟ

ଭୁବନେଶ୍ୱର,୫।୮(ଅଭୟ ଦାଶ): ଗତ କିଛି ମାସ ହେବ ବିଶ୍ୱ ସୁନା ବଜାର ଓ ବଜାର କାରବାରରେ ଅନ୍ତର ସୃଷ୍ଟି ହୋଇଛି। ବିଶେଷକରି ବିଶ୍ୱ ବଜାରରେ ସୁନା କ୍ରୟର ଚାହିଦା ରହିଥିବାବେଳେ ଘରୋଇ ବଜାରଗୁଡିକରେ ସୁନାର ଚାହିଦା ସେହି ପରିମାଣରେ କାରବାର ହୋଇପାରିନାହିଁ ବୋଲି ଓ୍ବାର୍ଲଡ ଗୋଲ୍‌ଡ କାଉନସିଲ (ଡବ୍ଲ୍ୟୁଜିସି)ର ସଦ୍ୟତମ ସୁନା ଚାହିଦା ଧାରା ରିପୋର୍ଟରୁ ଜଣାପଡ଼ିଛି। ସେହିଭଳି ୨୦୨୩ ବର୍ଷର ପ୍ରଥମ ୬ମାସରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ରେକର୍ଡ ପରିମାଣର ସୁନା କ୍ରୟ କରିଛନ୍ତି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ମଧ୍ୟରେ ସୁନା ଚାହିଦା (ଓଟିସିକୁ ବାଦ୍‌ ଦେଇ) ୨% ହ୍ରାସ ପାଇ ବର୍ଷକ ମଧ୍ୟରେ ୯୨୧ ଟନ୍‌ ହୋଇଛି। ମୋଟ ଚାହିଦା (ଓଟିସି)କୁ ମିଶାଇ ବର୍ଷକୁ ବର୍ଷ ମଧ୍ୟରେ ୭% ବୃଦ୍ଧି ପାଇଥିଲା, ଯାହା ବିଶ୍ୱସ୍ତରରେ ଏକ ଦୃଢ଼ ସୁନା ବଜାରକୁ ଦର୍ଶାଉଛି। ବିଶେଷକରି ୨ୟ ତ୍ରୈମାସିକରେ କେନ୍ଦ୍ରୀୟ ବ୍ୟାଙ୍କର ଚାହିଦା ବର୍ଷକ ମଧ୍ୟରେ ୧୦୩ ଟନ୍‌କୁ ହ୍ରାସ ପାଇଛି। ମାତ୍ର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ବର୍ଷର ପ୍ରଥମ ୬ମାସରେ ରେକର୍ଡ ପରିମାଣର ୩୮୭ ଟନ୍‌ ସୁନା କିଣିଛନ୍ତି। ଏପରିକି ଏକ ଦୀର୍ଘକାଳୀନ ସକାରାତ୍ମକ ଧାରା ଅନୁସାରେ ତ୍ରୈମାସିକ ଚାହିଦା ରହିଛି, ଯାହା ବର୍ଷସାରା ସରକାରୀ କ୍ଷେତ୍ରରେ ସୁନା କିଣା ଦୃଢ଼ ରହିବ।
ଏ ସମ୍ପର୍କରେ ଡବ୍ଲ୍ୟୁଜିସିର ସିନିୟର ମାର୍କେଟ ଆନାଲିଷ୍ଟ୍‌ ଲାଉସି ଷ୍ଟ୍ରିଟ୍‌ କହିଛନ୍ତି, କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ରେକର୍ଡ ଚାହିଦା ଗତ ବର୍ଷ ସୁନା ବଜାର ଉପରେ ପ୍ରଭାବ ବିସ୍ତାର କରି ରଖିଥିଲା ଏବଂ ଦ୍ୱିତୀୟ ତ୍ରୈମାସିକରେ ମନ୍ଥର ଗତି ସାମ୍ପ୍ରତିକ ଭୂରାଜନୈତିକ ଉତ୍ତେଜନା ଓ ସାରା ବିଶ୍ୱରେ ଦେଖାଦେଇଥିବା ଅର୍ଥନୈତିକ ଆହ୍ବାନପୂର୍ଣ୍ଣ ସ୍ଥିତିରେ ଏକ ସୁରକ୍ଷିତ ସମ୍ପତ୍ତି ଭାବେ ସୁନାର ଗୁରୁତ୍ୱକୁ ଜଣାଉଛି। ୨୦୨୩ ର ଦ୍ୱିତୀୟ ତ୍ରୈମାସିକରେ ଅର୍ଥନୈତିକ ହ୍ରାସ ସୁନାକୁ ଉପରକୁ ନେଇଛି, ଯାହା ଏକ ସୁରକ୍ଷିତ ସମ୍ପତ୍ତି ମାନ୍ୟତା ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରୁଛି। ଏଭଳି ସ୍ଥିତିରେ ନିବେଶକ ଓ କେନ୍ଦ୍ରୀୟ ବ୍ୟାଙ୍କ ଚାହିଦାରୁ ସୁନାକୁ ସହଯୋଗ ମିଳିବ। ଯାହା ଗ୍ରାହକଙ୍କ ବ୍ୟୟରେ ହ୍ରାସ ଯୋଗୁ ଅଳଙ୍କାର ଓ ପ୍ରଯୁକ୍ତି ଚାହିଦାରେ ଥିବା ଦୁର୍ବଳତାକୁ ଦୂର କରିବ।
ସେହିଭଳି ଡବ୍ଲ୍ୟୁଜିସିର ଆଞ୍ଚଳିକ ସିଇଓ, ଭାରତ ସୋମସୁନ୍ଦରମ ପିଆର୍‌ କହିଛନ୍ତି, ଭାରତର ସୁନା ଚାହିଦା ଗତବର୍ଷର ୨ୟ ତ୍ରୈମାସିକର ୧୭୦.୭ ଟନ୍‌ ତୁଳନାରେ ୨୦୨୩ ଦ୍ୱିତୀୟ ତ୍ରୈମାସିକରେ ୧୫୮.୧ ଟନ୍‌କୁ ହ୍ରାସ ପାଇଛି। ଭାରତରେ ସୁନା ଅଳଙ୍କାର ଚାହିଦା ଉଲ୍ଲେଖନୀୟ ଭାବେ ବର୍ଷକୁ ବର୍ଷ ଭିତ୍ତିରେ ୮% ହ୍ରାସ ପାଇ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ୧୨୮ ଟନ୍‌ ହୋଇଛି।

Share