Categories: ବାଣିଜ୍ୟ

ରେକର୍ଡ ପରିମାଣରେ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୧୦: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୬ଷ୍ଠ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସଟି) ସଂଗ୍ରହ କରାଯାଇଛି ବୋଲି ରବିବାର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ସେପ୍ଟେମ୍ବରରେ ଦେଶର ଜିଏସଟି ପ୍ରାୟ ୧.୬୩ (୧,୬୨,୭୧୨) ଲକ୍ଷ କୋଟି ଟଙ୍କାର ଟିକସ ରାଜସ୍ବ ଆକାରରେ ସଂଗ୍ରହ କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗ୍ରହ ହୋଇଥିବା ଟିକସ ପରିମାଣ ପ୍ରାୟ ୧.୪୭ ଲକ୍ଷ କୋଟିଠାରୁ ୨୦୨୩-୨୪ ଆର୍ଥିକ ବର୍ଷର ଅଗଷ୍ଟରେ ସଂଗୃହୀତ ଟିକସ ପରିମାଣ ପ୍ରାୟ ୧୦% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ କ୍ରମାଗତ ୧୯ ମାସ ପାଇଁ ଦେଶର ଜିଏସଟି ସଂଗ୍ରହ ୧.୪ ଲକ୍ଷ କୋଟିରୁ ଅଧିକ ରହିଥିବାବେଳେ ୧୦ମ ଥର ପାଇଁ ୧.୫ଲକ୍ଷ କୋଟିରୁ ଅଧିକ ପରିମାଣର ଟିକସ ଆଦାୟ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ୪ର୍ଥ ଥର ଲାଗି ଜିଏସ୍‌ଟି ସଂଗ୍ରହ ୧.୬ ଲକ୍ଷ କୋଟିରୁ ଅଧିକ ରହିଥିବା ଜଣାପଡିଛି। ବିଶେଷ କରି ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ (ଅର୍ଦ୍ଧବାର୍ଷିକ)ରେ ୯,୯୨,୫୦୮ କୋଟି ଟଙ୍କାର ଟିକସ ଜିଏସଟି ଆକାରରେ ଆଦାୟ କରାଯାଇଛି। ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଏହି ପରିମାଣ ୮,୯୩,୩୩୪ କୋଟି ଟଙ୍କା ରହିଥିଲା।

ସୂଚନାଯୋଗ୍ୟ, ୨୦୨୩ ସେପ୍ଟେମ୍ବରରେ ସଂଗୃହୀତ ମୋଟ ଜିଏସଟି ରାଜସ୍ବ ୧,୬୨,୭୧୨ ଲକ୍ଷ କୋଟି ହୋଇଥିବା ବେଳେ ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସଟି) ୨୯,୮୧୮ କୋଟି ଟଙ୍କା ରହିଥିଲାବେଳେ ରାଜ୍ୟ ଜିଏସଟି (ଏସଜିଏସଟି) ୩୭,୬୫୭ କୋଟି ଟଙ୍କା ରହିଛି। ସେହିଭଳି ଆଇଜିଏସଟି ବାବଦରେ ୮୩,୬୨୩ କୋଟି (ସାମଗ୍ରୀ ଆମଦାନୀରେ ୪୧,୧୪୫ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍‌ ବାବଦରେ ୧୧,୬୧୩ ଟଙ୍କା କୋଟି (ସାମଗ୍ରୀ ଆମଦାନୀ ଉପରେ ୮୮୧ କୋଟି ଟଙ୍କା ସାମିଲ)ର ଟିକସ ଆଦାୟ କରାଯାଇଛି।

ସେହିପରି ସରକାର ସିଜିଏସଟି ବାବଦରେ ୩୩,୭୩୬ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୨୭,୫୭୮ କୋଟି ଟଙ୍କା ପରିଶୋଧ କରିଛନ୍ତି। ଅପରପକ୍ଷରେ ଓଡିଶାରୁ ଚଳିତ ଆର୍ଥିକ ବର୍ଷର ୬ଷ୍ଠ ମାସରେ ପ୍ରାୟ ୪୨୪୯ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଛି। ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଟିକସ ପରିମାଣ ୩୭୬୫ କୋଟି ଟଙ୍କାରୁ ଅଧିକ ରହିଥିଲା। ଯାହା ଚଳିତ ଆର୍ଥକ ବର୍ଷର ଜୁଲାଇ ଅବଧିରେ ୧୩% ବୃଦ୍ଧି ପାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Share