Categories: ବାଣିଜ୍ୟ

ଜୁନରେ ରେକର୍ଡ ଜିଏସଟି ସଂଗ୍ରହ: ୧୨ ପ୍ରତିଶତ ବୃଦ୍ଧି ହୋଇ ଛୁଇଁଲା ୧.୬୧ ଲକ୍ଷ କୋଟି…

ନୂଆଦିଲ୍ଲୀ,୧।୭ : ଜିଏସଟି ସଂଗ୍ରହରେ ଜୁନ ୨୦୨୩ ରେ ରେକର୍ଡ ପରିମାଣରେ ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରଣାଳୟ କହିଛି ଜୁନ ୨୦୨୩ରେ ମୋଟ ୧,୬୧,୪୯୭ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି। ଏଥିରେ ଗତ ବର୍ଷ ଜୁନ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। ଅର୍ଥ ମନ୍ତ୍ରଣାଳୟ କହିଛି ଦେଶରେ ଜିଏସଟି ଲାଗୁ ହେବା ପରେ ଚତୁର୍ଥ ଥର ପାଇଁ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଜିଏସଟି ୧ ଜୁଲାଇ ୨୦୧୭ରେ ଲାଗୁ କରାଯାଇଥିଲା ।

୨୦୨୧-୨୨,୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ର ୟମାସରେ ହାରାହାରି ମାସିକ ଜିଏସଟି ସଂଗ୍ରହ ଯଥାକ୍ରମେ ୧.୧୦ ଲକ୍ଷ କୋଟି, ୧.୫୧ ଲକ୍ଷ କୋଟି ଏବଂ ୧.୬୯ ଲକ୍ଷ କୋଟିରେ ପହଞ୍ଚିଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଜିଏସଟି ସଂଗ୍ରହ କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ବିବୃତ୍ତି ଅନୁଯାୟୀ, ଜୁନ ୨୦୨୩ ରେ ମୋଟ ଜିଏସଟି ସଂଗ୍ରହ ୧,୬୯,୪୯୭ କୋଟି ଟଙ୍କା ଥିଲା, ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୩୧,୦୧୩ କୋଟି, ରାଜ୍ୟ ଜିଏସ୍ଟି ୩୮,୨୯୨ କୋଟି ଟଙ୍କା ଥିଲା। ଯେତେବେଳେ ଇଣ୍ଟିଗ୍ରେଟେଡ ଜିଏସଟି ୮୦,୨୯୨ କୋଟି ଟଙ୍କା ଥିଲା। ଏଥିରେ ଆମଦାନୀ ଉପରେ ଜିଏସଟିରୁ ୩୯,୦୩୫ କୋଟି ଟଙ୍କା ଗ୍ରହଣ କରାଯାଇଛି। ଏଥି ସହିତ, ସେସ ୧୧,୯୦୦ କୋଟି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

ଜୁନ ୨୦୨୩ ରେ ଜିଏସଟି ରାଜସ୍ବ ଗତ ବର୍ଷ ଜୁନରେ ପ୍ରାପ୍ତ ଜିଏସଟି ରାଜସ୍ବଠାରୁ ୧୨ ପ୍ରତିଶତ ଅଧିକ । ଏହାପୂର୍ବରୁ ଏପ୍ରିଲରେ ୧.୮୭ ଲକ୍ଷ କୋଟି ଟଙ୍କାର ରେକର୍ଡ ରାଜସ୍ବ ସଂଗ୍ରହ ହୋଇଥିଲା। ମେ ମାସରେ ଏହା ୧.୫୭ ଲକ୍ଷ କୋଟି ଥିଲା।

 

Share