Categories: ବାଣିଜ୍ୟ

ରେକର୍ଡ ପରିମାଣରେ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୬: ଚଳିତ ଆର୍ଥିକ ବର୍ଷର ୨ୟ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଛି ବୋଲି ଗୁରୁବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷର ମେ’ ମାସରେ ଦେଶର ଜିଏସ୍‌ଟି ସଂଗ୍ରହ ୧.୫୭ (୧,୫୭,୦୯୦) ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ଆକାରରେ ସଂଗ୍ରହ କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧିରେ ସଂଗୃହୀତ ହୋଇଥିବା ଟିକସ ପରିମାଣଠାରୁ ୨୦୨୩-୨୪ ମେ’ରେ ସଂଗୃହୀତ ଟିକସ ପରିମାଣ ୧୨% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ କ୍ରମାଗତ ୧୪ ମାସ ପାଇଁ ଦେଶର ଜିଏସ୍‌ଟି ସଂଗ୍ରହ ୧.୪ ଲକ୍ଷ କୋଟିରୁ ରହିଥିବାବେଳେ ୫ମ ଥର ପାଇଁ ୧.୫ ଲକ୍ଷ କୋଟିରୁ ଅଧିକ ପରିମାଣର ଟିକସ ଆଦାୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ମେ’ରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ବ ୧,୫୭,୦୯୦ ଲକ୍ଷ କୋଟି ରହିଥିବା ବେଳେ ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍‌ଟି) ୨୮,୪୧୧ କୋଟି ଟଙ୍କା ରହିଥିଲାବେଳେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ୩୫,୮୨୮ କୋଟି ଟଙ୍କା ରହିଛି। ସେହିଭଳି ଆଇଜିଏସ୍‌ଟି ବାବଦରେ ୮୧,୩୬୩ କୋଟି (ସାମଗ୍ରୀ ଆମଦାନୀରେ ୪୧,୭୭୨ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍‌ ବାବଦରେ ୧୧,୪୮୯ ଟଙ୍କା କୋଟି (ସାମଗ୍ରୀ ଆମଦାନୀ ଉପରେ ୧୦୫୭ କୋଟି ଟଙ୍କା ସାମିଲ)ର ଟିକସ ଆଦାୟ କରାଯାଇଛି। ସେହିପରି ସରକାର ସିଜିଏସ୍‌ଟିକୁ ୩୫,୩୬୯ କୋଟି ଟଙ୍କା ଏବଂ ନିୟମିତ ସମାଧାନ ଭାବେ ଆଇଜିଏସ୍‌ଟିରୁ ଏସ୍‌ଜିଏସ୍‌ଟିକୁ ୨୯,୭୬୯ କୋଟି ଟଙ୍କା ଦେବାକୁ ସ୍ଥିର କରିଛନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତିରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଓଡ଼ିଶାରୁ ଚଳିତ ଆର୍ଥିକ ବର୍ଷର ୨ୟ ମାସରେ ପ୍ରାୟ ୪୩୯୮ (୪୩୯୭.୭୩) କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଛି। ଗତ ବର୍ଷ ଏହି ସମୟ ମଧ୍ୟରେ ଟିକସ ପରିମାଣ ୩୯୫୬ (୩୯୫୫.୭୫) କୋଟି ଟଙ୍କାରୁ ଅଧିକ ରହିଥିଲା, ଯାହା ଚଳିତ ବର୍ଷ ୪୪୧.୯୮ କୋଟି ବା ୧୧.୧୭ ବୃଦ୍ଧି ପାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Share