Categories: ଖେଳ

ଓଡ଼ିଶା ଏଫ୍‌ସି ସପକ୍ଷରେ ରେକର୍ଡ

ଭୁବନେଶ୍ୱର,୩ା୧୧(ସରୋଜ ଜେନା):ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ବିପକ୍ଷରେ ଶୁକ୍ରବାର ମ୍ୟାଚ୍‌ ଖେଳିବ ଓଡ଼ିଶା ଏଫ୍‌ସି। ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ବିଜୟ ହାସଲ ପରେ ଏହି ମ୍ୟାଚ୍‌ ପାଇଁ ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ରହିଛି। ନର୍ଥଇଷ୍ଟ ସହିତ ଓଏଫ୍‌ସି ୧୮ ଥର ମୁହାଁମୁହିଁ ହୋଇଥିବା ବେଳେ ୮ ବିଜୟ ସହିତ ଓଡ଼ିଶା ଆଗୁଆ ରହିଛି। ଏହା ସହ ନର୍ଥଇଷ୍ଟ ୫ ମ୍ୟାଚ୍‌ ଜିତିଥିବା ବେଳେ ୩ ମ୍ୟାଚ୍‌ ଅମୀମାଂସିତ ରହିଛି। ଏହା ସହିତ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ଓଏଫ୍‌ସି ଏହି ମ୍ୟାଚ୍‌ ଜିତିବା ସମ୍ଭାବନା ଅଧିକ। ଶେଷ ମ୍ୟାଚ୍‌ରେ ୦-୨ରେ ପଛୁଆ ସ୍ଥିତିରୁ ଆସି ଦଳ ଯେଉଁଭଳି ପ୍ରତ୍ୟାବର୍ତ୍ତନ କରିଥିଲା ତାହା ପ୍ରଶଂସନୀୟ। ଡିଫେଣ୍ଡର ମୋର୍ଟାଡା ଫଲ୍‌ ଆହତ ଥିବାରୁ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ନରେନ୍ଦର ଗେହଲୋଟ ତାଙ୍କ ସ୍ଥାନରେ ଖେଳିବେ। ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଏହା ନର୍ଥଇଷ୍ଟ ବିପକ୍ଷରେ କେବେ ହାରିନଥିବା ବେଳେ ରେକର୍ଡ ଦଳ ସପକ୍ଷରେ ରହିଛି।
ନର୍ଥଇଷ୍ଟ ଚଳିତ ସିଜନର ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୪ ମ୍ୟାଚରେ ଦୁଇଟି ଲେଖାଏ ମ୍ୟାଚ୍‌ ବିଜୟୀ ହୋଇଛି ଓ ଅମୀମାଂସିତ ରଖିବାରେ ସଫଳ ହୋଇଛି। ଚଳିତ ସିଜନରେ ଓଏଫ୍‌ସି ଏହାର ଘରୋଇ ମ୍ୟାଚ୍‌ରେ ପରାଜିତ ହୋଇ ନ ଥିବା ବେଳେ ଏହି ଧାରା ବଜାୟ ରଖିବାକୁ ଉଦ୍ୟମ କରିବ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା। ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିବା ଖେଳାଳି ଅନିକେତ ଯାଦବ ପୂର୍ବ ମ୍ୟାଚ୍‌ ଭଳି ଅଧିକ ସଂଖ୍ୟାରେ ଦର୍ଶକ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ।

Share