Categories: ଖେଳ

ନୂଆ ମିଟ୍‌ ରେକର୍ଡରେ ରେକର୍ଡ

ଭୁବନେଶ୍ୱର, ୨୮।୬(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଆଥ୍‌ଲେଟିକ୍ସ ମିଟ୍‌ର ୬୯ତମ ସଂସ୍କରଣ ଗତ ରବିବାର ଶେଷ ହୋଇଛି। କିଟ୍‌ ଓ କିସ୍‌ ପରିସରରେ ଥିବା ଦୂତୀ ଚାନ୍ଦ ଆଥ୍‌ଲେଟିକ୍ସ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୭୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏଥରର ଏହି ମିଟ୍‌ ଅନେକ ଦୃଷ୍ଟିକୋଣରୁ ସ୍ମରଣୀୟ ହୋଇଛି। ଓଡ଼ିଶା ଆଥ୍‌ଲେଟିକ୍ସ ଇତିହାସରେ ପ୍ରଥମଥର ପାଇଁ ୪୧ଟି ନୂଆ ମିଟ୍‌ ରେକର୍ଡ ସୃଷ୍ଟି ହୋଇଛି। ୧୪ ବର୍ଷରୁ କମ୍‌ ବାଳିକା ବର୍ଗରେ ୩୨ ପଏଣ୍ଟ ପାଇ ଭୁବନେଶ୍ୱର ଗ୍ରୁପ୍‌ ଚାମ୍ପିୟନ ହୋଇଛି। ସେହିପରି ୧୪ ବର୍ଷରୁ କମ୍‌ ବାଳକରେ କେନ୍ଦୁଝର ୧୮, ୧୬ ବର୍ଷରୁ କମ୍‌ ବାଳିକାରେ ଜଗତ୍‌ସିଂହପୁର ୩୫, ୧୬ ବର୍ଷରୁ କମ୍‌ ବାଳକରେ ଭୁବନେଶ୍ୱର ୩୫, ୧୮ ବର୍ଷରୁ କମ୍‌ ବାଳିକାରେ ସୁନ୍ଦରଗଡ଼ ୧୦୫, ୧୮ ବର୍ଷରୁ କମ୍‌ ବାଳକରେ କଟକ ୮୫, ୨୦ ବର୍ଷରୁ କମ୍‌ ବାଳିକାରେ ସୁନ୍ଦରଗଡ଼ ୬୫, ୨୦ ବର୍ଷରୁ କମ୍‌ ବାଳକରେ କଟକ ୯୧, ୨୩ ବର୍ଷରୁ କମ୍‌ ବାଳକରେ କଟକ ୬୯, ୨୩ ବର୍ଷରୁ କମ୍‌ ବାଳିକାରେ କଟକ ୬୮, ମହିଳାରେ ଓଡ଼ିଶା ପୋଲିସ ୩୨ ଓ ପୁରୁଷରେ କଟକ ୯୦ ପଏଣ୍ଟ ପାଇ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଅଧିକାର କରିଛି। ଓଭରଅଲ୍‌ ଦେଖିବାକୁ ଗଲେ କଟକ ୬୦୨ ପଏଣ୍ଟ ସହିତ ଦଳଗତ ଚାମ୍ପିୟନ ଏବଂ ସୁନ୍ଦରଗଡ଼ ୪୦୭ ପଏଣ୍ଟ ପାଇ ରନରଅପ୍‌ ହୋଇଛି।
ଚାରି ଦିନ ବିଶିଷ୍ଟ ପ୍ରତିଯୋଗିତାରେ ପ୍ରଦର୍ଶନ ଅନୁସାରେ ପ୍ରଥମ ଦିବସରେ ଜଣେ ପ୍ରତିଯୋଗୀ ନୂଆ ମିଟ୍‌ ରେକର୍ଡର ଅଧିକାରୀ ହୋଇଥିବାବେଳେ କେବଳ ଦ୍ୱିତୀୟ ଦିବସରେ ୧୯ ଆଥ୍‌ଲେଟ ରେକର୍ଡ ଭାଙ୍ଗିଥିଲେ। ତୃତୀୟ ଦିବସରେ ଏହି ସଂଖ୍ୟା ୯ରେ ସୀମିତ ରହିଥିବାବେଳେ ୪ର୍ଥ ତଥା ଅନ୍ତିମ ଦିବସରେ ୧୨ଟି ନୂଆ ମିଟ୍‌ ରେକର୍ଡ ସୃଷ୍ଟି ହୋଇଥିଲା। ୩ ପ୍ରତିଯୋଗୀ ୨ଟି ଲେଖାଏ ଇଭେଣ୍ଟରେ ନୂଆ ମିଟ୍‌ ରେକର୍ଡ କରିବାର ସୌଭାଗ୍ୟପ୍ରାପ୍ତ ହୋଇଥିଲେ। ଏମାନେ ହେଲେ କଟକର ଓଁକାର ପ୍ରସାଦ ନନ୍ଦ, ଭୁବନେଶ୍ୱରର ଲକ୍ଷ୍ମୀପ୍ରିୟା କିଷାନ ଓ କଳାହାଣ୍ଡିର ଡି. ଜୟରାମ। ଓଁକାର ୧୮ ବର୍ଷରୁ କମ୍‌ ବାଳକ ବର୍ଗର ଶଟ୍‌ପୁଟ୍‌ ଓ ହାମର ଥ୍ରୋରେ, ଲକ୍ଷ୍ମୀପ୍ରିୟା ୨୦ ବର୍ଷରୁ କମ୍‌ ବାଳିକା ୮୦୦ ମିଟର ରେସ୍‌ ଓ ୧୫୦୦ ମିଟର ରେସ୍‌ ଏବଂ ଜୟରାମ ୨୦ ବର୍ଷରୁ କମ୍‌ ବାଳକ ୧୦୦ ମିଟର ଓ ୨୦୦ ମିଟର ରେସ୍‌ରେ ଏହି କୃତିତ୍ୱ ଅର୍ଜନ କରିଥିଲେ।

Share