ଦଶମ, ଦ୍ୱାଦଶରେ କିସ୍‌ରୁ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୨।୨(ଅସମାପିକା ସାହୁ):ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରେ କିସ୍‌ରୁ ରେକର୍ଡ ସଂଖ୍ୟକ ଛାତ୍ରୀଛାତ୍ର ପରୀକ୍ଷା ଦେବେ। କିସ୍‌ର ୨,୦୦୦ ଛାତ୍ରୀଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ୧,୯୦୮ ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେବେ। ଉଭୟ ଦଶମ ଓ ଯୁକ୍ତ୨ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୦% ହେଉଛନ୍ତି ଛାତ୍ରୀ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରୀକ୍ଷା ଅବ୍ୟବହିତ ପୂର୍ବରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରବିବାର ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ସମ୍ପର୍କିତ ଆବଶ୍ୟକ ପରାମର୍ଶ ଦେବା ସହ ସେମାନଙ୍କୁ କଲମ ବଣ୍ଟନ କରିଥିଲେ। ଏହି ଅବସରରେ ସେ ଛାତ୍ରୀଛାତ୍ରଙ୍କ ସଫଳତା କାମନା କରିଥିଲେ। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୟୁନିଟ୍‌-୮, ବରମୁଣ୍ଡା ଓ ନିଳାଦ୍ରୀ ବିହାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଆଇଆରସି ଭିଲେଜସ୍ଥିତ ଭଗବତ ଗୀତା ବିଦ୍ୟା ମନ୍ଦିର ଓ ଚନ୍ଦ୍ରଶେଖରପୁରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରୀକ୍ଷା କେନ୍ଦ୍ର ହୋଇଛି। ସେହିପରି ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ନିମନ୍ତେ ରାଜଧାନୀ କଲେଜ ଓ ମହର୍ଷି କଲେଜ ପରୀକ୍ଷା କେନ୍ଦ୍ର ହୋଇଛି। ଆସନ୍ତା ୨୦ ତାରିଖରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ୧୬ତାରିଖରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେଉଛି। ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ କିସ୍‌ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ପାଇଁ ୫୦ଟି ଲେଖାଏ ବସ୍‌ ବ୍ୟବସ୍ଥା କରାଯାଇଥିବା କିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।