Advertisement

ରାଜସ୍ବ ଆଦାୟରେ ଭାପୁର ତହସିଲର ରେକର୍ଡ

ଭାପୁର,୨୧। ୪(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଭାପୁର ତହସିଲ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଆଦାୟରେ ରେକର୍ଡ କରିଛି। ଜିଲା ପ୍ରଶାସନ ଧାର୍ଯ୍ୟ କରିଥିବା ରାଜସ୍ବ ଆଦାୟ ପରିମାଣଠାରୁ ପ୍ରାୟ ୧୮୬ ପ୍ରତିଶତ ଅଧିକ ରାଜସ୍ବ ଆଦାୟ କରାଯାଇଛି। ଜିଲା ପ୍ରଶାସନ ଧାର୍ଯ୍ୟ କରିଥିବା ରାଜସ୍ବ ପରିମାଣ ୧ କୋଟି ୬୦ଲକ୍ଷ ହୋଇଥିବା ବେଳେ ଭାପୁର ତହସିଲ ପକ୍ଷରୁ ୨ କୋଟି ୯୯ ଲକ୍ଷ ୧୫ ହଜାର ୧୭୫ ଟଙ୍କା ଆଦାୟ କରାଯାଇଥିବା ତହସିଲଦାର ଲଗ୍ନଜିତ୍‌ ବେହେରା ସୂଚନା ପ୍ରଦାନ କରିଛନ୍ତି। ଲ୍ୟାଣ୍ଡ ଭେନ୍ୟୁ ପାଇଁ ୪ ଲକ୍ଷ ୫୨ ହଜାର ୭୪୭ ଟଙ୍କା , ରୟାଲଟି, ଶୈରାତ, ଓପିଲିଓ, ଗାଡ଼ି ମୋଟର ଯାଞ୍ଚ, ଇଟାଭାଟି ଚଢ଼ାଉ, ବାଲିଘାଟ , ମୁଣ୍ଡିଆ ପାହାଡ଼ରୁ ଗୋଡି ପାଇଁ ଘାତରୁ ଏପରି ମୋଟ ୨ କୋଟି ୯୦ ଲକ୍ଷ ୬୮ ହଜାର ୦୦୮ ଟଙ୍କା, ଜଳକର ଆଦାୟ ପାଇଁ ୩୩ ଲକ୍ଷ ଓ ଅନ୍ୟାନ୍ୟ ବାବଦରେ ୩ ଲକ୍ଷ ୬୧ ହଜାର ୩୯୯ ଟଙ୍କା ଆଦାୟ ହୋଇଥିବା ଜଣାଯାଇଛି। ତହସିଲ ଅଧୀନରେ ଥିବା ୭ ଆରଆଇ ସର୍କଲ ମଧ୍ୟରୁ ୩ ଆରଆଇ ସର୍କଲ ନୂଆ ହେବା ପାଇଁ ଘୋଷଣା ହୋଇଛି। ଏହି ନୂତନ ସର୍କଲଗୁଡିକ ନିଜସ୍ବ ଗୃହ ନ ଥିବାରୁ ଏହା ଏବେ ଅନ୍ୟ ଆରଆଇ କାର୍ଯ୍ୟାଳୟରେ କାମ କରୁଥିବା ଜଣାଯାଇଛି। ଶାଳପଡା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଗୋଳାପୋଖରୀ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଚାଲୁଛି। ଭାପୁର ପାଇଁ ଘୋଷଣା ହୋଇଥିବା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟଟି ଫତେଗଡ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ରାକମା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମାରଡ଼ା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ କାମ କରୁଛି। ଏହି ନୂତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପାଇଁ ଦୀର୍ଘ ୩ ମାସରୁ ଅଧିକ ଦିନ ହେବ କାର୍ଯ୍ୟ କରିବା ପାଇଁ ଟେଣ୍ଡର ଚୟନ ପ୍ରକ୍ରିୟା ଶେଷ ହୋଇଛି। ଜାଗା ଚି଼ହ୍ନଟ ପରେ କାମ ଆରମ୍ଭ ହେବ ବୋଲି ଆରଡି ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଜାଗା ଚିହ୍ନଟ ପରେ ମଧ୍ୟ ଜବରଦଖଲ ଯୋଗୁ ବିଳମ୍ବ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share