କାର୍ଗୋ ପରିଚାଳନାରେ ଧାମରା ବନ୍ଦରର ରେକର୍ଡ

ଭଦ୍ରକ,୧୪।୧୦(ସନାତନ ରାଉତ): ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ସ୍ପେଶାଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌) ଅଧୀନରେ ଥିବା ଆଦାନୀ ଧାମରା ବନ୍ଦର କାର୍ଗୋ ପରିଚାଳନା କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି। ୨୪ ଘଣ୍ଟା ମଧ୍ୟରେ ୨,୨୬,୬୧୦ ମେଟ୍ରିକ ଟନ୍‌ କାର୍ଗୋ ପରିଚାଳନା କରି ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରିଛି। ପୂର୍ବରୁ ଧାମରା ପୋର୍ଟ ଗତ ମେ ୩୦ରେ ୧,୮୫,୮୫୬ ମେଟ୍ରିକ ଟନ୍‌ କାର୍ଗୋ ପରିଚାଳନା କରିଥିଲା। ଧାମରା ବନ୍ଦରର ଏହି ସଫଳତାକୁ ନେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ର ଠକ୍କର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ବଳରେ ଏହା ସମ୍ଭବ ହୋଇପାରିଛି। ଏହି ଅବସରରେ ଗୁରୁବାର କେକ୍‌ କଟାଯାଇ ଉତ୍ସବ ପାଳନ କରାଯାଇଥିଲା। ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ସ୍ପେଶାଲ ଇକୋନୋମିକ୍‌ ଜୋନ୍‌ ହେଉଛି ଭାରତର ସର୍ବବୃହତ୍‌ ବନ୍ଦର ଓ ଲଜିଷ୍ଟିକ୍‌ କମ୍ପାନୀ ଯାହା ଦେଶର ଏକ ଚତୁର୍ଥାଂଶ କାର୍ଗୋ ପରିଚାଳନା କରିଥାଏ। ଦେଶର ଗୁଜରାଟ, ମହାରାଷ୍ଟ୍ର, ଗୋଆ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଓଡ଼ିଶା ୭ଟି ରାଜ୍ୟର ୧୩ଟି ଘରୋଇ ବନ୍ଦର ଏପିଏସ୍‌ଇଜେଡ୍‌ ଦ୍ୱାରା ପରିଚାଳିତ। ଅତ୍ୟାଧୁନିକ ଭିତ୍ତିଭୂମି, ସ୍ବୟଂଚାଳିତ ଉଚ୍ଚକ୍ଷମତା ସମ୍ପନ୍ନ ମେଶିନର ବ୍ୟବହାର ଏପିଏସ୍‌ଇଜେଡ୍‌ର ବନ୍ଦରଗୁଡ଼ିକୁ କେବଳ ଯେ ଉତ୍କୃଷ୍ଟ କରିଛି ତାହା ନୁହେଁ ବରଂ ଭାରତୀୟ ଉପକୂଳରେ ବୃହତ୍‌ ଜାହାଜଗୁଡ଼ିକ ପରିଚାଳନା କରିବାରେ ସକ୍ଷମ ହୋଇଛି।

Share