Advertisement

ରେକର୍ଡ ପରିମାଣର ଟିକସ ଆଦାୟ

ନୂଆଦିଲ୍ଲୀ,୨।୧ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଡିସେମ୍ବର ମାସରେ ମଧ୍ୟ ରେକର୍ଡ ପରିମାଣର ଟିକସ ଆଦାୟ କରାଯାଇଛି। ଏପରିକି ପ୍ରତି ଥର ପରି ଚଳିତ ଥର ମଧ୍ୟ ୧,୭୬,୮୫୭ (ପ୍ରାୟ ୧.୭୭ ଲକ୍ଷ କୋଟି ) କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ରାଜସ୍ବ ଆକାରରେ ସଂଗ୍ରହ କରାଯାଇଛି ବୋଲି ବୁଧବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷର ୯ମ ମାସରେ ଦେଶର ଜିଏସ୍‌ଟି ସଂଗ୍ରହ ୧,୭୬, ୮୫୭ କୋଟି ଟଙ୍କାର ଟିକସ ରାଜସ୍ବ ଆକାରରେ ସଂଗ୍ରହ କରାଯାଇଛି। ବିଶେଷ କରି ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗ୍ରହ ହୋଇଥିବା ଟିକସ ପରିମାଣଠାରୁ ଏହା ୭.୩% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ଡିସେମ୍ବର ମାସରେ ସଂଗୃହୀତ ଟିକସ ପରିମାଣ ୧,୬୪,୮୮୨ କୋଟିଠାରୁ ୨୦୨୪-୨୫ ଆର୍ଥିକ ବର୍ଷର ଡିସେମ୍ବର ମାସରେ ୧,୭୬,୮୫୭ କୋଟିର ଟିକସ ସଂଗୃହୀତ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସେହିଭଳି ଚଳିତ ଆର୍ଥିକ ବର୍ଷର ଡିସେମ୍ବରରେ ମୋଟ ୧,୭୬,୮୫୭ କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍‌ଟି) ବାବଦରେ ୩୨,୮୩୬କୋଟି ଟଙ୍କା ଆଦାୟ ହୋଇଥିବାବେଳେ ରାଜ୍ୟ ଟିକସ (ଏସ୍‌ଜିଏସ୍‌ଟି) ବାବଦକୁ ୪୦,୪୯୯ କୋଟି ଆଦାୟ ହୋଇଛି। ସେହିପରି ଇଣ୍ଟ୍ରିଗ୍ରେଟେଡ୍‌ ଜିଏସ୍‌ଟି (ଆଇଜିଏସ୍‌ଟି) ବାବଦକୁ ମୋଟ ୯୧,୨୨୧ କୋଟି ଟଙ୍କା ଏବଂ ସେସ୍‌ ବାବଦରେ ୧୨,୩୦୧ କୋଟି ଟଙ୍କା ଟିକସ ଆକାରରେ ସଂଗ୍ରହ କରାଯାଇଛି।
ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ମାସରେ ମଧ୍ୟ ଓଡ଼ିଶାରୁ ୪୮୪୧ କୋଟି ଟଙ୍କାର ଟିକସ ରାଜସ୍ବ ଆକାରରେ ସଂଗ୍ରହ କରାଯାଇଥିଲାବେଳେ ଗତ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ୪୩୫୧ କୋଟି ଟଙ୍କାର ଟିକସ ଆଦାୟ ହୋଇଥିଲା।
ଏପରିକି ଗତ ଆର୍ଥତ୍କ ବର୍ଷର ଡିସେମ୍ବର ମାସରେ ସଂଗ୍ରହ କରାଯାଇଥିବା ଟିକସ ତୁଳନାରେ ଚଳିତ ଆର୍ଥିକ ବର୍ଷର ସମାନ ମାସ ମଧ୍ୟରେ ସଂଗୃହୀତ ଟିକସ ପରିମାଣ ପ୍ରାୟ ୧୧% ଅଧିକ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share