Categories: ଜାତୀୟ

ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ, କଂଗ୍ରେସରେ କରିଥିଲେ ବିଦ୍ରୋହ, ଏବେ ୩ୟ ଥର ରାଜଗାଦି ସମ୍ଭାଳିବେ ପେମା ସରକାର

୨୦୨୪ ଲୋକସଭା ନିର୍ବାଚନର ଦୁଇଟି ରାଜ୍ୟର ରେଜଲ୍ଟ ପ୍ରକାଶ ପାଇଛି। ଅରୁଣାଚଳ ପ୍ରଦେଶରେ ପୂର୍ବରୁ ଭାଜପା ସରକାର ଥିବାବେଳେ ଚଳିତ ନିର୍ବାଚନରେ ବହୁମତ ସହ ଦଳ ପୁଣି ସରକାର ଗଠନ କରିବାକୁ ଯାଉଛି। ଭାଜପା ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ନେତୃତ୍ୱାଧିନ ସରକାର ଗତ ୨ ଥର ବିଜୟୀ ହୋଇଥିବାବେଳେ ଚଳିତ ନିର୍ବାଚନରେ ପୁଣି ବିଜୟ ଧାରା ଜାରି ରଖିଛନ୍ତି। ଏଥର ମଧ୍ୟ ଅରୁଣାଚଳ ପ୍ରଦେଶକୁ ଭାଜପା ଦଖଲ କରିବାକୁ ଯାଉଛି। ଆଉ ଏଥର ମଧ୍ୟ ଭାଜପାର କେନ୍ଦ୍ର ନେତୃତ୍ୱ ରାଜ୍ୟର ଶାସନ ଭାର ପେମା ଖାଣ୍ଡୁଙ୍କୁ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ତୃତୀୟ ଥର ସରକାର ଗଢିବାକୁ ଯାଉଥିବା ପେମା ଖାଣ୍ଡୁ କିଏ ଆସନ୍ତୁ ଜାଣିବା

ପେମା ଖଣ୍ଡୁ ହେଉଛନ୍ତି ଭାରତର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ। ଯିଏ ୩୭ ବର୍ଷ ବୟସରେ ଅରୁଣାଚଳ ପ୍ରଦେଶର ସିଏମ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଖାଣ୍ଡୁଙ୍କ ପୂର୍ବରୁ ଅଖିଳେଶ ଯାଦବ ସର୍ବକନିଷ୍ଠ ସିଏମ ଭାବରେ ଦେଶରେ ରେକର୍ଡ କରିଥିଲେ। ଯେତେବେଳେ ଅଖିଳେଶ ପ୍ରଥମ ଥର ପାଇଁ ୟୁପିର ରାଜଗାଦି ଗ୍ରହଣ କରିଥିଲେ, ତାଙ୍କୁ ୩୮ ବର୍ଷ ହୋଇଥିଲା। ତେବେ ଦେଶର ଏହି ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ପେମା ପୁଣି ତୃତୀୟ ଥର ପାଇଁ ରାଜଗାଦି ସମ୍ଭାଳି ପାରନ୍ତି।

ଅରୁଣାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋରଜୀ ଖାଣ୍ଡୁଙ୍କ ବଡ ପୁଅ ପେମା ଖାଣ୍ଡୁ ଦିଲ୍ଲୀର ହିନ୍ଦୁ କଲେଜରୁ ସ୍ନାତକ ହାସଲ କରିଛନ୍ତି। ଖାଣ୍ଡୁଙ୍କର ରାଜନୈତିକ କ୍ୟାରିୟର ୨୦୦୫ରେ ଆରମ୍ଭ ହୋଇଥିଲା। ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ସେ ପ୍ରଥମେ କାର୍ଯ୍ୟ କରୁଥିଲେ। କିନ୍ତୁ ତାଙ୍କର ପ୍ରକୃତ ରାଜନନୈତିକ ଯାତ୍ରା ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କ ପିତା ଦୋରଜୀ ଖାଣ୍ଡୁ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଏହାପରେ ପେମା ୨୦୧୧ରେ ତାଙ୍କ ପିତାଙ୍କ ନିଜ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଏକ ବିରାଟ ଭୋଟ ସହ ବିଧାନସଭାରେ ଏମଏଲଏ ସିଟ୍‌ ପାଇଥିଲେ।

୨୦୧୪ରେ ମୁକ୍ତୋରୁ ର୍ନିଦ୍ୱନ୍ଦରେ ନିର୍ବାଚନ ଜିତି ଖାଣ୍ଡୁ ଅରୁଣାଚଳ ପ୍ରଦେଶର ଜଳ ସମ୍ପଦ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏହି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ । ପେମା ଖାଣ୍ଡୁ ଚୀନ ସୀମାବର୍ତ୍ତୀ ତାୱାଙ୍ଗ ଜିଲାର ଜିଆଙ୍ଗଖର ଗାଁର ଏବଂ ମୋନ୍ପା ନାମକ ଏକ ଜନଜାତିର ଅଟନ୍ତି।

ସେପ୍ଟେମ୍ବର ୨୦୧୬ରେ, ଯେତେବେଳେ ପେମା ଖାଣ୍ଡୁ ଅରୁଣାଚଳର ସିଏମ ଥିଲେ, ସେତେବେଳେ ସେ ୪୩ଜଣ ବିଧାୟକଙ୍କ ସହ କଂଗ୍ରେସ ବିରୋଧଦ୍ଧରେ ବିଦ୍ରୋହ କରିଥିଲେ। ଏହା ପରେ ସେ ଭାଜପାର ସହଯୋଗୀ ଦଳ ପିପିଏରେ ଯୋଗ ଦେଇଥିଲେ। ତେବେ ଡିସେମ୍ବର ୨୦୧୬ରେ, ପିପିଏ ତାଙ୍କୁ ଦଳରୁ ବାହାର କରିଦେଇଥିଲା। ଏହା ପରେ ପେମା ଖାଣ୍ଡୁ ୪୩ ଜଣ ବିଧାୟକଙ୍କ ସହ ଭାଜପାରେ ଯୋଗ ଦେଇଥିଲେ। ଏହା ପରେ, ୨୦୧୯ରେ, ପେମା ଖାଣ୍ଡୁଙ୍କ ନେତୃତ୍ୱରେ ଅରୁଣାଚଳ ପ୍ରଦେଶରେ ଭାଜପା ସରକାର ଗଠନ କରିଥିଲା। ତେବେ ଆଜିର ଫଳାଫଳ ଅନୁସାରେ ପେମା ୬୦ଆସନରୁ ୪୬ ଆସନ ହାତେଇ ବଡ଼ ବିଜୟ ହାସଲ କରିଛନ୍ତି।

Share