ସୁସ୍ଥ ହାର ୬୨.୯୩%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି କରୋନା ପ୍ରକୋପ। ଶନିବାର ୨୮ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରବିବାର ରାତି ସୁଦ୍ଧା ୨୦ ହଜାର ମାମଲା ନଜରକୁ ଆସିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୭୦ ଲକ୍ଷରେ ପହଞ୍ଚିଥିବାବେଳେ ୨୨,୯୮୦ ମୁଣ୍ଡ ଗଡ଼ିଲାଣି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ରୋଗୀଙ୍କୁ ସୁସ୍ଥକରିବା ଲାଗି ପ୍ରୟାସ ଜାରି ରହିଛି। ଏବେ ସୁସ୍ଥହାର ୬୨.୯୩% ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ୫ ଲକ୍ଷ ୪୬ ହଜାର ଲୋକ ସୁସ୍ଥହୋଇ ଘରକୁ ଫେରିଛନ୍ତି। ତେବେ ଆକ୍ଟିଭ୍‌ ମାମଲା ୨.୯୭ ଲକ୍ଷ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨୦ ହଜାର ଲୋକ ସୁସ୍ଥ ହୋଇଥିବା ଜଣାପଡ଼ିଛି।
ଭାରତରେ ଏବେ ୧,୩୭୦ କୋଭିଡ୍‌ ହସ୍ପିଟାଲ, ୩,୦୬୨ କୋଭିଡ୍‌ ହେଲ୍‌ଥସେଣ୍ଟର ଓ ୧୦,୩୩୪ କୋଭିଡ୍‌ କେୟାର ସେଣ୍ଟର୍‌ରେ ରୋଗୀଙ୍କୁ ଚିକିତ୍ସା ଚାଲିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨୨.୩୬ ଲକ୍ଷ ପିପିଇ କିଟ୍ସ, ୨୨୩.୩୩ ଲକ୍ଷ ଏନ୍‌୯୫ ମାସ୍କ ଏବଂ ୨୧,୬୮୫ ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଟେଷ୍ଟ କରାଯାଉଛି। ପ୍ରାୟ ୧କୋଟି ୧୫ ଲକ୍ଷରୁ ଅଧିକ ପରୀକ୍ଷା ସରିଲାଣି।
କେବଳ ମହାରାଷ୍ଟ୍ରରେ ୨.୫୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୦,୨୮୯ ଜଣଙ୍କ ଜୀବନ ଗଲାଣି। ତାମିଲନାଡ଼ୁ ଓ ଦିଲ୍ଲୀରେ ଯଥାକ୍ରମେ ୧.୩୪ ଲକ୍ଷ ଓ ୧.୧୨ ଲକ୍ଷ ଭୂତାଣୁ ଆକ୍ରାନ୍ତ ଥିବାବେଳେ ମୋଟ ୫,୨୦୦ ଲୋକଙ୍କ ଜୀବନ ଗଲାଣି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଫଳ ଔଷଧ ବାହାରି ନ ଥିବାବେଳେ ପ୍ରବାସୀଙ୍କ ଆଗମନ ଚିନ୍ତା ବଢ଼ାଇଥିବା କୁହାଯାଉଛି।

Share