ସୁସ୍ଥ ହେବା ହାର ୯୭.୧୮ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିରେ ଲଗାମ୍‌ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ୨ଦିନ ଧରି ୪୦ ହଜାର ତଳେ ରହିବା ପରେ ଏହା ପୁଣି ବଢ଼ିଛି। ମଙ୍ଗଳବାର ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୭୦୩ ଥିବାବେଳେ କରୋନାରେ ୫୫୩ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୩ ହଜାର ୭୩୩ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୯୩୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୭ ହଜାର ୨୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୧୮ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୪ ଲକ୍ଷ ୫୯ ହଜାର ୯୨୦ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪ ହଜାର ୨୧୧ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୬ କୋଟି ୧୩ ଲକ୍ଷ ୨୩ ହଜାର ୫୪୮ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୨ କୋଟି ୩୩ ଲକ୍ଷ ୩୨ ହଜାର ୯୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

Share