ମନୋରଞ୍ଜନ ପାଇଁ ଭାଙ୍ଗର ବ୍ୟବହାର ଉପରେ ଲାଗିଲା ରୋକ, କେବଳ ମେଡିସିନ ପାଇଁ ହେବ ବ୍ୟବହାର

ବ୍ୟାଙ୍କକ,୧୩।୧: ଭାଙ୍ଗ ବ୍ୟବହାରକୁ ନେଇ ଥାଇଲାଣ୍ଡ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯେ ଭାଙ୍ଗ ବା କାନବିଜକୁ ମନୋରଞ୍ଜନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ନୂଆ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଔଷଧ କିମ୍ବା ଅନ୍ୟାନ୍ୟ ଚିକିତ୍ସା ଆବଶ୍ୟକତା ପୂରଣ ପାଇଁ ଭାଙ୍ଗ ବ୍ୟବହାର କରାଯାଇପାରିବ। ସିଏନଏନ ରିପୋର୍ଟ ଅନୁଯାୟୀ, ୧୮ ମାସ ପରେ ଏକ ବଡ଼ ଓଲଟପାଲଟରେ ଭାଙ୍ଗକୁ ଆଂଶିକ ନିଷେଧ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କରାଯାଉଛି। ତେବେ ଏହି ଉଦ୍ଭିଦ ବା ଗଛକୁ ଅପରାଧ ବର୍ଗରୁ ଦୂରେଇ ରଖାଯାଉଛି। ଥାଇଲାଣ୍ଡ ସରକାର କହିଛନ୍ତି ଯେ ଏସିଆର ପ୍ରଥମ ଦେଶ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଗତ ବର୍ଷ ଥାଇଲାଣ୍ଡରେ ଏକ ମିଳିତ ସରକାର କ୍ଷମତାକୁ ଆସିଥିଲେ। ରିପୋର୍ଟ ଅନୁଯାୟୀ ସରକାର ଏହି ନିୟମକୁ କଡାକଡି କରୁଛନ୍ତି। ବର୍ତ୍ତମାନ କେବଳ ଡାକ୍ତରୀ ଜଗତରେ ଭାଙ୍ଗ ବ୍ୟବହାର କରାଯିବ। ସିଏନଏନ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପୂର୍ବ ଏସୀୟ ଦେଶରେ ସ୍ଥାନୀୟ ତଥା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଭାଙ୍ଗର ଚାହିଦା ବୃଦ୍ଧି ପାଇଛି।
ରିପୋର୍ଟ ଅନୁଯାୟୀ, ଥାଇଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଡ୍ରାଫ୍ଟ ବିଲ ମଙ୍ଗଳବାର ବାହାରିଛି। ଏଥିରେ ଭାରି ଜୋରିମାନା କିମ୍ବା ଏକ ବର୍ଷ ଜେଲ କିମ୍ବା ଉଭୟଙ୍କୁ ଏକାଠି ଦେବାର ବ୍ୟବସ୍ଥା ଅଛି। ଖବର ଅନୁଯାୟୀ, ଜନସାଧାରଣ ମଧ୍ୟ ଏହି ନିୟମକୁ ସ୍ବାଗତ କରିଛନ୍ତି।
ଥାଇଲାଣ୍ଡରେ ଭାଙ୍ଗକୁ ରୋକିବା ପାଇଁ ଅଣାଯାଇଥିବା ବିଲରେ ଦର୍ଶାଯାଇଛି ଯେ ଭାଙ୍ଗ ଏବଂ ଭାଙ୍ଗ ସମ୍ବନ୍ଧୀୟ ଦ୍ରବ୍ୟ କେବଳ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ସୁବିଧା ପାଇଁ ବ୍ୟବହାର କରାଯାଇପାରିବ। ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ ଏହି ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତା ୬ମାସ ମଧ୍ୟରେ କାନବିଜ ସହ ଜଡିତ ଆଇନକୁ ‘ସଂଶୋଧନ’ କରିବାକୁ ନୂତନ ସରକାର ଘୋଷଣା କରିଛନ୍ତି।

Share