୫୬ ଇକୋନୋମିକ୍‌ ଇନ୍‌ଭେଷ୍ଟିଗେଟରଙ୍କୁ ନିଯୁକ୍ତି

ଭୁବନେଶ୍ୱର,୨।୭(ବ୍ୟୁରୋ): ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ଲାଗି ବିକାଶମୂଳକ ଯୋଜନାରେ ଗୋଷ୍ଠୀଗତ ସମ୍ପୃକ୍ତି ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯୋଜନା ଓ ସଂଯୋଜନ ବିଭାଗରେ ସଦ୍ୟ ନିଯୁକ୍ତ ୫୬ ବରିଷ୍ଠ ଇକୋନୋମିକ୍‌ ଇନ୍‌ଭେଷ୍ଟିଗେଟରଙ୍କ ଯୋଗଦାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଗୁରୁବାର ଏହା କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ତଥା ମାନବ ସମ୍ବଳ ବିକାଶ ମାନକଗୁଡ଼ିକ ନିମନ୍ତେ ପ୍ରମାଣ ଆଧାରିତ ଏବଂ ଲକ୍ଷ୍ୟ ସମ୍ବଳିତ ଯୋଜନା ପ୍ରଣୟନ ଉପରେ ଗୁରୁତ୍ୱା ଦେବା ଜରୁରୀ। ଯୁବ ଅଧିକାରୀଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ସଦ୍ୟତମ ବୈଷୟିକ ଜ୍ଞାନକୌଶଳ ବିକାଶ ଏବଂ ଜ୍ଞାନ ପରିସର ସମ୍ପ୍ରସାରଣ ନିମନ୍ତେ ପରାମର୍ଶ ଦେଇଛନ୍ତି। ସେମାନଙ୍କୁ ବୈଷୟିକ ଜ୍ଞାନକୌଶଳ, ଦଳଗତ କାର୍ଯ୍ୟ, ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ଆଧାରିତ ରୂପାନ୍ତରଣ ସମ୍ବଳିତ ୫-ଟି ରଣନୀତି ଆପଣେଇବା ସହ ସଶକ୍ତ ଓଡ଼ିଶା ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଛନ୍ତି। ସୂଚନାଯୋଗ୍ୟ, ଏହି ନବନିଯୁକ୍ତ ଅନୁସନ୍ଧାନକାରୀମାନେ ସ୍ଥାନୀୟ ଅଞ୍ଚଳର ବିକାଶ ଯୋଜନାରେ ସମ୍ପୃକ୍ତ ରହିବେ। ସ୍ଥାନୀୟ ଅଞ୍ଚଳ ବିକାଶ ଯୋଜନାର ତଦାରଖ କରିବା ସହ ଜିଲାର ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବେ ଏବଂ ଜିଲା ଯୋଜନା ଏବଂ ତଦାରଖ ୟୁନିଟ୍‌କୁ ସହାୟତା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ଏହି ନବନିଯୁକ୍ତ ଅନୁସନ୍ଧାନକାରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ରାଜ୍ୟର ଯୋଜନା ପ୍ରକ୍ରିୟାରେ ଆପଣ ସମସ୍ତେ ଏବେ ଏକ ଅଂଶ। ଆପଣମାନଙ୍କ ପ୍ରତିଭା ଏବଂ ଊର୍ଜା ରାଜ୍ୟ ପାଇଁ ଏକ ସମ୍ପଦ ହେବ। ଯୋଜନା ଏବଂ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ବିକାଶ ଯୋଜନାର ତଦାରଖ ଏବଂ ଯୋଜନାର ବିକେନ୍ଦ୍ରୀକରଣରେ ବିଭାଗର ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ନିରନ୍ତର ବିକାଶ ଲାଗି ଯୋଜନା ପ୍ରସ୍ତୁତିରେ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉନ୍ନୟନ କମିଶନର ପି.କେ. ଜେନା ତାଙ୍କ ସ୍ବାଗତ ଭାଷଣରେ କହିଛନ୍ତି, ସ୍ଥାନୀୟ ସ୍ତରରେ ଯୋଜନାର ବିଭିନ୍ନ ଦିଗ ଉପରେ ଏହି ନବନିଯୁକ୍ତ ଅଧିକାରୀଙ୍କୁ ୩ ମାସିଆ ପ୍ରଶିକ୍ଷଣ ଦିଆଯିବ। ଏହି କାର୍ଯ୍ୟକ୍ରମରେ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଉପରେ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା।

Share