Categories: Uncategorized

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି ହାଇକୋର୍ଟର ଜଣିକିଆ ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କ ବେଞ୍ଚ ଗତ ମାର୍ଚ୍ଚ ୧୨ରେ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେପା)ର ମେରିଟ ଲିଷ୍ଟ ଖାରଜ କରିଥିଲେ। ଏଥିସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟ ଡିଭିଜନ୍‌ ବେଞ୍ଚରେ ଅପିଲ କରିଛନ୍ତି। ଉକ୍ତ ଅପିଲକୁ ନେଇ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ମାମଲାର ଶୁଣାଣି କରିଛନ୍ତି। ହାଇକୋର୍ଟ ଆସନ୍ତା ୨୯ ତାରିଖରେ ମାମଲାର ରାୟ ଶୁଣାଇବେ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ଅନ୍‌ଲାଇନ୍‌ ଆବେଦନ ପାଇଁ ୨୦୨୩ ସେପ୍ଟେମ୍ବର ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୦ ରହିଥିଲା।

ଆବେଦନ ପ୍ରକ୍ରିୟା ଶେଷ ପରେ ୨୦୨୪ ଜାନୁୟାରୀ ୧୫ ତାରିଖରେ ଓସେପା ପକ୍ଷରୁ ଡ୍ରାଫ୍ଟ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା। ଏହି ମେଧା ତାଲିକାରେ ପ୍ରକାଶିତ ଆବେଦନକାରୀଙ୍କ ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ ବୋଲି ଓସେପା ପକ୍ଷରୁ ଜାନୁଆରୀ ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଯାଞ୍ଚ କାର୍ଯ୍ୟକ୍ରମ ପାଇଁ ପ୍ରତି ଜିଲାରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ସମ୍ପର୍କରେ ମଧ୍ୟ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା। ହେଲେ ଏହି ମେଧା ତାଲିକା ନିୟମ ଉଲ୍ଲଂଘନ କରି ପ୍ରସ୍ତୁତ କରାଯାଇଥିବା ଓ ଗଣଶିକ୍ଷା ବିଭାଗର ମୂଳ ନିଯୁକ୍ତି ବିଜ୍ଞପ୍ତିରେ ଥିବା ସର୍ତ୍ତାବଳୀକୁ ପାଳନ କରାଯାଇ ନ ଥିବା ନେଇ ଅଭିଯୋଗ ହୋଇଥିଲା। ଏହାଦ୍ୱାରା ବହୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡ଼ିଛନ୍ତି।

ଫଳରେ ଉକ୍ତ ମେଧା ତାଲିକାକୁ ରଦ୍ଦ କରିବା ନେଇ ଜେ.ଆର. ମହାରଣା ଓ ଅନ୍ୟମାନେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଜାନୁଆରୀ ୧୯ ତାରିଖରେ ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ।

ସାର୍ଟିଫିକେଟ ଓ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବ, ମାତ୍ର ଚୟନ ଓ ନିଯୁକ୍ତି ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଜିଲା ଅନୁଯାୟୀ ମେଧା ତାଲିକା ପ୍ରକାଶ କରାଯାଇଥିବା ଦର୍ଶାଇଥିଲେ। ପୂର୍ବରୁ ପ୍ରକାଶିତ ମେଧା ତାଲିକା ପ୍ରତ୍ୟାହାର ହୋଇଛି କି ନାହିଁ ସେନେଇ ସତ୍ୟପାଠ ଦାଖଲ କରିବାକୁ ପୁଣି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଜାନୁୟାରୀ ୩୧ ତାରିଖରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।