ନାଲି ପିମ୍ପୁଡ଼ି ଆତଙ୍କ

ପିପିଲି,୪।୯(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତର ବ୍ରାହ୍ମଣ ଶାସନ ଗ୍ରାମରେ ନାଲି ପିମ୍ପୁଡ଼ି ଆତଙ୍କ ଦେଖିବାକୁ ମିଳିଛି। ଏଥିପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବନ୍ୟାର କିଛି ଦିନ ପରେ ଏହି ପିମ୍ପୁଡ଼ିଙ୍କୁ ଦେଖିବାକୁ ମିଳିଥିଲା। ଏବେ ଘରେ ବାହାରେ ସବୁଆଡେ ମାଳ ମାଳ ହୋଇ ବୁଲି କାମୁଡି ଗୋଡ଼ହାତ ଫୁଲାଇ ଦେଉଛନ୍ତି। ଏହି ପିମ୍ପୁଡ଼ିଙ୍କ ସମସ୍ୟା ଦୈନନ୍ଦିନ ସମସ୍ୟାରେ ପରିଣତ ହୋଇଗଲାଣି। ଘରୋଇ କାର୍ଯ୍ୟ ସହିତ ଚାଷକାର୍ଯ୍ୟ ସମୟରେ ମଧ୍ୟ ମାଳ ମାଳ ପିମ୍ପୁଡ଼ି କାମ କରିବାକୁ ଦେଉନାହାନ୍ତି। ଏଥିରେ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପିମ୍ପୁଡ଼ି ମାରିବା ପାଇଁ ପ୍ରଶାସନର ସହଯୋଗ ଦାବି କରିଛନ୍ତି। ପିମ୍ପୁଡ଼ି କାମୁଡି ଦେଉଥିବାରୁ ଶରୀରରେ ଫଳିଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଖବରପାଇ ଏକ ଡାକ୍ତରୀ ଦଳ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ପିମ୍ପୁଡ଼ି ଥିବା ସ୍ଥାନକୁ ନ ଯିବା ଲାଗି କହିଛନ୍ତି। ସୂଚନା କି, ଗତ ୩ବର୍ଷ ତଳେ ଏଭଳି ନାଲି ପିମ୍ପୁଡ଼ି ଆତଙ୍କ ଦେଖାଦେଇଥିବା ଚର୍ଚ୍ଚା ହୋଇଥିବାବେଳେ ବନ୍ୟାର କିଛି ଦିନ ପୂର୍ବରୁ ସାକ୍ଷୀଗୋପାଳ ଅଞ୍ଚଳରେ ଦେଖାଦେଇଥିଲା।

Share