ମହାକାଳପଡ଼ା,୨୨।୨(ଡି.ଏନ୍.ଏ.): ସାମୁଦ୍ରିକ ବିରଳ ଜୀବ ମଧ୍ୟରେ ଲାଲ କଙ୍କଡା ଜୈବବିବିଧତା ଓ ପ୍ରାକୃତିକ ପରିବେଶ ସନ୍ତୁଳନ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସମୁଦ୍ରରୁ ଭାସି ଆସୁଥିବା ବର୍ଜ୍ୟବସ୍ତୁ ଓ ଛୋଟ ଛୋଟ ସରୀସୃପ, ପଚା କଇଁଛ, ମାଛକୁ ଖାଇବା ସହ ଅନ୍ୟ ପଦାର୍ଥକୁ ନିଜ ଗାତରେ ସାଇତି ରଖିଥାନ୍ତି। ବାଲୁକା ଶଯ୍ୟାରେ ଗାତ କରିବା ଦ୍ୱାରା ଏଥିରେ ପବନ ପଶି ଉର୍ବରତା ବୃଦ୍ଧିରେ ସହାୟକ ହୋଇଥାଏ। ଏମାନେ ସମୁଦ୍ର ବାଲୁକା ଶଯ୍ୟା ଓ ବିସ୍ତୀର୍ଣ୍ଣ ବେଳାଭୂମିରେ ଦଳଦଳ ହୋଇ ବହୁସଂଖ୍ୟାରେ ଖୁବ୍ ପ୍ରଖର ବେଗରେ ବିଚରଣ କରିଥାନ୍ତି। ଶତ୍ରୁକୁ ଦେଖିଲେ ନିଜ ସୁରକ୍ଷିତ ଗଭୀର ଗାତ ମଧ୍ୟକୁ ଚାଲି ଯାଇଥାନ୍ତି। ପରେ ବିଷାକ୍ତ ଶିଙ୍ଗରେ ଆକ୍ରମଣ କରିଥାନ୍ତି। ଏହି କଙ୍କଡାକୁ ଖାଦ୍ୟ ରୂପେ ଗ୍ରହଣ କରାଯାଇ ନ ଥାଏ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ଧରିବା ବେଳେ ପ୍ଲାଷ୍ଟିକ ଗାଞ୍ଜ ଜାଳରେ ପଡି ଏମାନେ ମୃତ୍ୟୁ ମୁଖରେ ପଡନ୍ତି। ସ୍ଥାନୀୟ କଳକାରଖାନା ବିଷାକ୍ତ ବର୍ଜ୍ୟବସ୍ତୁ ସମୁଦ୍ରକୁ ଛାଡ଼ିବା ଦ୍ୱାରା ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି। ତେଣୁ ଏମାନଙ୍କ ସୁରକ୍ଷା ଲାଗି ଲୋକଙ୍କୁ ସଚେତନ କରିବା ଜରୁରୀ ହୋଇପଡିଛି ବୋଲି ପରିବେଶ ପ୍ରେମୀ ମତବ୍ୟକ୍ତ କରିଛନ୍ତି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଗହୀରମଥା ଅଭୟାରଣ୍ୟ ବେଳାଭୂମିରେ ଏମାନେ ଶତାଧିକ ଦେଖିବାକୁ ମିଳିଥାନ୍ତି। ବିଶେଷକରି ଅଗରନାଶି, ମାଦଳୀ, ହେଟାମୁଣ୍ଡିଆ, ଷୋଳ ମୁହାଣ, ଲଞ୍ଚ ଘୋଲା ସମେତ ମହାନଦୀ ତ୍ରିକୋଣ ଭୂମି ହେନ୍ତାଳ ଜଙ୍ଗଲ ଅଞ୍ଚଳରେ ଲାଲ କଙ୍କଡ଼ା ଦେଖିବାକୁ ମିଳିଥାଏ। ଏହି କଙ୍କଡା ସାଧାରଣତଃ ଲାଲ ଓ ହଳଦିଆ ଦୁଇଟି ରଙ୍ଗରେ ଦେଖିବାକୁ ମିଳନ୍ତି। ଏମାନଙ୍କର ଗୋଟିଏ ଗୋଡ ବଡ ଥିଲାବେଳେ ଅନ୍ୟ ଗୋଡଟି ସାନ ଥାଏ। ଏମାନେ ସଂଘବଦ୍ଧ ଭାବେ ବସବାସ କରିବାକୁ ପସନ୍ଦ କରିଥାନ୍ତି। ପ୍ରାକୃତିକ ଦୁର୍ବିପାକ ପୂର୍ବରୁ ଏମାନେ ସଂଘବଦ୍ଧ ଭାବେ ସ୍ଥଳ ଭାଗକୁ ଉଠି ପିଣ୍ଡୁଳା ଭାବେ ମେଳି ବାନ୍ଧି ଥାନ୍ତି। ବନ୍ୟା, ବାତ୍ୟା ସମୟରେ ନିଜ ଗାତ ଛାଡ଼ି ଅନ୍ୟ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥାନ୍ତି। ସମୁଦ୍ର ନିଷିଦ୍ଧାଞ୍ଚଳରେ ଟ୍ରଲର, ବୋଟ୍ର ମତ୍ସ୍ୟଜୀବୀମାନେ ବୋଟ ରଖି ରୋଷେଇ କରିବା ଦ୍ୱାରା ଏମାନେ ଉକ୍ତ ସ୍ଥାନକୁ ଆସି ନ ଥାନ୍ତି। ଯାହାଦ୍ୱାରା ଏମାନେ ପୂର୍ବ ସ୍ଥାନ ଛାଡିବା ଦ୍ୱାରା ବିପଦରେ ପଡିଥାନ୍ତି। ଏମାନେ ସମୁଦ୍ର କୂଳର ବାଲିଆ ସ୍ଥାନରେ ଗାତ ଖୋଳି ପଚାଶଢ଼ା ବର୍ଜ୍ୟବସ୍ତୁ ରଖିବା ଦ୍ୱାରା ଏହା ମୃତ୍ତିକା ଉର୍ବରତାରେ ସହାୟ ହୋଇଥାଏ। ଫଳରେ ହେନ୍ତାଳ, ଗୁଆଁ, ରାଇ, ସୁନ୍ଦରୀ, କେରୁହଁ, ଝାଉଁ, କାଳିଆ ଖାଡି, ବନୀ ଆଦି ବୃକ୍ଷଗୁଡ଼ିକ ବଢ଼ିବାରେ ସହାୟକ ହୋଇଥାଏ। ତେବେ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଆସି ସମୁଦ୍ର ବେଳାଭୂମିରେ ବିଚରଣ କରୁଥିବା ନାଲି କଙ୍କଡା ଦଳ ଦୃଶ୍ୟ ଦେଖିବାକୁ ପସନ୍ଦ କରିଥାନ୍ତି।