Categories: ଜାତୀୟ

ଲାଲ୍‌ କିଲ୍ଲା ପାଲଟିଲା ଅଭେଦ୍ୟ ଦୁର୍ଗ,୯ ଆଣ୍ଟି ଡ୍ରୋନ୍‌-୩୦୦ ସିସିଟିଭି-୫୦୦୦ ଯବାନ ମୁତୟନ…

ନୂଆଦିଲ୍ଲୀ,୧୪।୮: ଦେଶର ୭୫ତମ ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲ୍‌ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିଲ୍ଲାକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ। ସମଗ୍ର ଦିଲ୍ଲୀ ଏକ ବହୁସ୍ତରୀୟ ସୁରକ୍ଷା ଗଡ଼ରେ ପରିଣତ ହୋଇଛି। ଲାଲ୍‌ କିଲ୍ଲା ଚାରିପାଖରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଲାଲ୍‌ କିଲ୍ଲା ଚାରିପାଖରେ ୯ ଟି ଆଣ୍ଟି-ଡ୍ରୋନ ରାଡାର ପ୍ରସ୍ତୁତ କରି ରଖାଯାଇଛି। ସେହିପରି ୩୦୦ ସିସିଟିଭି କ୍ୟାମେରା ଲଗାଯାଇଛି ଯାହାଦ୍ୱାରା ପ୍ରତ୍ୟେକ ଲୋକଙ୍କ ଚେହେରାର ସବିଶେଷ ତଥ୍ୟ ରଖାଯାଇପାରିବ। ମୁଖ୍ୟ ଫାଟକ ବାହାରେ ୧୫ରୁ ୨୦ ବଡ଼ ବଡ଼ କଣ୍ଟେନର ରଖାଯାଇଛି। ଯାହାଫଳରେ ସମ୍ମୁଖରୁ ଲାଲ୍‌ କିଲ୍ଲା ଦେଖାଯିବ ନାହିଁ। କିଲ୍ଲାର ସୁରକ୍ଷା ପାଇଁ ୫୦୦୦ ଯବାନଙ୍କୁ ମୁତୟନ କରାଯାଇଛି। ଏହା ବ୍ୟତୀତ ସମଗ୍ର ଦିଲ୍ଲୀରେ ୪୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ସତର୍କତା ଦୃଷ୍ଟିରୁ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍‌ ହୋଇଯାଇଛି। ସୁରକ୍ଷା ବ୍ୟବସ୍ଥା ପ୍ରାଟୋଲିଂକୁ କଡାକଡି କରାଯାଇଛି। ପ୍ରତ୍ୟେକ ଯାନ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହିତ ଆବଶ୍ୟକସ୍ଥଳେ ଯାଞ୍ଚ୍‌ କରାଯାଉଛି।
ସୁରକ୍ଷା କାର୍ଯ୍ୟରେ ଦିଲ୍ଲୀ ପୋଲିସ ବ୍ୟତୀତ ପାରାମିଲିଟାରୀ ଫୋର୍ସ, ଏନ୍‌ଏସ୍‌ଜି କମାଣ୍ଡୋ ଏବଂ ଏସ୍‌ପିଜି କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଉଚ୍ଚ ଅଟ୍ଟାଳିକା ଉପରେ ସ୍ନାଇପରଙ୍କୁ ମୁତୟନ କରାଯାଇଛି। ଏହା ବ୍ୟତୀତ ସରକାରୀ ଅଟ୍ଟାଳିକାରେ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି।
ଖାଲିସ୍ତାନୀ ଆତଙ୍କବାଦୀମାନେ ଅଗଷ୍ଟ ୧୫ରେ ଆକ୍ରମଣ ଲାଗି ଧମକ ଦେଇଥିବା ନେଇ ସୁରକ୍ଷା ଏଜେନ୍ସିଙ୍କ ପକ୍ଷରୁ ସତର୍କ ସୂଚନା ଜାରିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଏଭଳିି ପଦକ୍ଷେପ ନେଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଲାଲ୍‌ କିଲ୍ଲା ଚାରିପାଖରେ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ୬ ଜଣ ଆତଙ୍କବାଦୀଙ୍କ ଫଟୋ ଲଗାଯିବା ସହିତ ସେମାନଙ୍କ ନାମ ଏବଂ ଠିକଣା ମଧ୍ୟ ଲେଖାଯାଇଛି।

Share