ଯେତିକି ବୃଦ୍ଧି କରିଥିଲ ସେତିକି ହ୍ରାସ କର

ଡ. ସନ୍ତୋଷ କୁମାର ମହାପାତ୍ର

ପ୍ରଥମେ ଜନ ବିରୋଧୀ ନୀତି ପ୍ରଣୟନ କର, ଇନ୍ଧନ ଟିକସ ବୃଦ୍ଧି କରି ଲୋକଙ୍କ ଜୀବନକୁ ଦୁର୍ବିଷହ କର। ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରି ଲୋକଙ୍କ ଜୀବନକୁ କଷ୍ଟସାଧ୍ୟ, ଦୁଃଖଦାୟକ ଏବଂ ଭୟଙ୍କର କର। ଯେତେବେଳେ ଲୋକମାନେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ବା ପ୍ରତିବାଦ କରିବେ, ଯେତିକି ବୃଦ୍ଧି କରିଥିଲ, ତାହାଠାରୁ କମ ହ୍ରାସକରି ନିଜକୁ ଗରିବ ସପକ୍ଷବାଦୀ ଭାବେ ପ୍ରତିପାଦନ କରି ରାଜନୈତିକ ଫାଇଦା, ଜନପ୍ରିୟତା ହାସଲ କର। ଏହା ହେଉଛି ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ନୀତି। ଏକଥା ଉଲ୍ଲେଖ କରିବାର କାରଣ ହେଲା ଦୀର୍ଘଦିନ ଧରି ଇନ୍ଧନ ଟିକସ ବୃଦ୍ଧି କରି ଅଧିକ ରାଜସ୍ବ ଆଦାୟ କରିବା ଯୋଗୁ ମୁଦ୍ରାସ୍ଫୀତି ଦରଦାମ ବୃଦ୍ଧି ଅତ୍ୟନ୍ତ ଅସହ୍ୟ ହେବା ସହିତ ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇ ଜୀବନର ମାନଦଣ୍ଡ ନିମ୍ନମୁଖୀ ହୋଇଥିଲା। ଏଣୁ ଗତ ମେ୨୧ରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି (ଉତ୍ପାଦ ଶୁଳ୍କ) ଯଥାକ୍ରମେ ୮ଟଙ୍କା ଏବଂ ୬ଟଙ୍କା ହ୍ରାସ କରିଛନ୍ତି।
ନିଶ୍ଚିତ ଭାବରେ, ଟିକସ ହ୍ରାସ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ, ଯଦିଓ ପର୍ଯ୍ୟାପ୍ତ ନୁହେଁ।
କିନ୍ତୁ ସରକାର ନିଜକୁ ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ବୋଲି ଯାହା ପ୍ରଚାର କରୁଛନ୍ତି, ତାହାକୁ ଆମେ ବିରୋଧ କରୁଛୁ। ଅର୍ଥମନ୍ତ୍ରୀ ଏହି ପଦକ୍ଷେପକୁ ଗରିବ-ସମର୍ଥକ ଏବଂ ସମ୍ବେଦନଶୀଳତାର କାର୍ଯ୍ୟ ବୋଲି ବର୍ଣ୍ଣନା କରୁଛନ୍ତି ଓ ଏହା ଜୀବନର ସହଜତାକୁ ଆହୁରି ଆଗକୁ ନେବ ବୋଲି କହିଛନ୍ତି। ଯଦି ଏହା ଠିକ, ତେବେ ପେଟ୍ରୋଲିୟମ ଉତ୍ପାଦ ଉପରେ ଟିକସ ବୃଦ୍ଧି ପାଇଁ ଗରିବ-ବିରୋଧୀ, ସମ୍ବେଦନହୀନ ନିଷ୍ପତ୍ତି ଏହି ସରକାର କାହିଁକି ନେଇଥିଲେ? ଯେତେବେଳେ ପ୍ରଗତିଶୀଳ ବୁଦ୍ଧିଜୀବୀମାନେ ଟିକସ ହ୍ରାସ ପାଇଁ ଦାବି କରୁଥିଲେ ସରକାର ଏହା ସପକ୍ଷରେ କାହିଁକି ଅନେକ ଯୁକ୍ତି କରୁଥିଲେ? ପୁନଶ୍ଚ କରୋନା ମହାମାରୀ ଯୋଗୁ କୋଟି କୋଟି ଲୋକ ଜୀବିକା ହରାଇଲା ବେଳେ ଇନ୍ଧନ ଟିକସ ମଧ୍ୟ ଏହି ସରକାର ବୃଦ୍ଧି କରିଥିଲେ। ସରକାର ଯୁକ୍ତି କରୁଥିଲେ ଯେ ତେଲ ଉପରେ ଟିକସ ଦ୍ୱାରା ଯେଉଁ ଅର୍ଥ ଆସିବ, ସେସବୁ ଦେଶର ବିକାଶ ଓ ଗରିବଙ୍କ ପାଇଁ କୋଭିଡ ରିଲିଫ ପଦକ୍ଷେପ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ, କୋଭିଡ୍‌ ଟିକା ପାଇଁ ଖର୍ଚ୍ଚ ହେବ। ଯଦି ଏତେ ଭଲ କାର୍ଯ୍ୟ ହେଉଥିଲା ତେବେ ବର୍ତ୍ତମାନ ସରକାର କାହିଁକି ହ୍ରାସ କଲେ । ସରକାର କ’ଣ ଜାଣିନାହାନ୍ତି ଯେ ଗରିବ କଲ୍ୟାଣ ପାଇଁ ଯେଉଁ ବ୍ୟୟ କରାଯାଏ ତାହା ଗରିବ ନୁହେଁ ଧନିକ ଶ୍ରେଣୀଙ୍କଠାରୁ ଆଦାୟ କରାଯାଏ।
କେନ୍ଦ୍ର ସରକାର କହୁଛନ୍ତି, ଏହି ହ୍ରାସ ଦ୍ୱାରା ୧ ଲକ୍ଷ କୋଟି ଟଙ୍କା ରାଜସ୍ବ ହରାଇବେ। କିନ୍ତୁ ଗତ ୮ ବର୍ଷରେ କେନ୍ଦ୍ର ସରକାର ଇନ୍ଧନ ଟ୍ୟାକ୍ସ ଭାବରେ ୨୬,୫୧,୯୧୯ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ଅନୁଯାୟୀ ଭାରତରେ ପ୍ରାୟ ୨୬ କୋଟି ପରିବାର ଅଛନ୍ତି। ଏହାର ଅର୍ଥ ହେଉଛି ପ୍ରତ୍ୟେକ ପରିବାରରୁ କେନ୍ଦ୍ର ସରକାର ହାରାହାରି ଇନ୍ଧନ ଟ୍ୟାକ୍ସ ଭାବରେ ଗତ ୮ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତ।
ପୁନଶ୍ଚ ୨୦୧୪ମାର୍ଚ୍ଚ ୧ରେ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୪୧୦.୫୦ ଟଙ୍କା ଥିଲାବେଳେ ତାହା ଏବେ ୧୦୦୩ ଟଙ୍କାକୁ ବୃଦ୍ଧିପାଇଛି। ଏହା ଦର୍ଶାଏ ଯେ କିପରି ସରକାର ଜନତା ବିଶେଷକରି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ କ୍ରୟ କ୍ଷମତାକୁ କ୍ଷୟ କରିଦେଇଛନ୍ତି। ଅଧିକନ୍ତୁ, ଏହି ଟ୍ୟାକ୍ସ ବୃଦ୍ଧି ମୁଦ୍ରାସ୍ଫୀତିକୁ ଏତେ ବଢ଼ାଇଦେଇଛି ଯେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସଂଘର୍ଷ କରୁଛନ୍ତି।
୨୦୧୪-୧୫ରେ, ପେଟ୍ରୋଲିୟମ ଉତ୍ପାଦ ଉପରେ ଏକ୍ସାଇଜ ଡ୍ୟୁଟି ମାଧ୍ୟମରେ କେନ୍ଦ୍ର ୯୯,୦୬୮ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଥିବାବେଳେ ସମସ୍ତ ରାଜ୍ୟ ମିଳିତ ଭାବେ ବିକ୍ରୟ କର / ଭ୍ୟାଟ ମାଧ୍ୟମରେ ୧୩୭,୧୫୭ କୋଟି ଟଙ୍କା ସଂଗ୍ରହ କରିଥିଲେ। ଉଭୟ ଏକାଠି ୨,୩୬,୨୨୫ କୋଟି ଟଙ୍କା ସଂଗ୍ରହ କରିଥିଲେ। କିନ୍ତୁ ୨୦୨୦-୨୧ରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଟ୍ୟାକ୍ସ ଏବଂ ସେସ୍‌ ହିସାବରେ ସମୁଦାୟ କେନ୍ଦ୍ର ୪,୫୫,୦୬୯ କୋଟି ଟଙ୍କା ସଂଗ୍ରହ କରିଲା ବେଳେ, ରାଜ୍ୟ ସରକାର ୨,୦୨,୯୩୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏହାର ଅର୍ଥ ହେଉଛି, ଏହି ଅବଧିରେ ଇନ୍ଧନ ଟିକସ ବାବଦରେ କେନ୍ଦ୍ର ୩୫୯% ଅଧିକ ପାଇଲାବେଳେ ରାଜ୍ୟଗୁଡ଼ିକ କେବଳ ୫୨% ଅଧିକ ପାଇଛନ୍ତି।
ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୨୦୧୪ରେ ପେଟ୍ରୋଲ ଉପରେ ଲିଟର ପିଛା ଅବକାରୀ ଶୁଳ୍କ ୯.୪୮ ଟଙ୍କା ଥିବାବେଳେ, ଡିଜେଲ ଲିଟର ପିଛା ୩.୫୬ ଟଙ୍କା ରହିଥିଲା। ପରେ ତାଙ୍କ ସରକାର ଏହି ଶୁଳ୍କ ବିଭିନ୍ନ ସମୟରେ ବୃଦ୍ଧି କରିଥିଲେ, ବିଶେଷ କରି କରୋନା ମହାମାରୀ ଯୋଗୁ ଯେତେବେଳେ ଅନ୍ତର୍ଜାତୀୟ ଅଶୋଧିତ ତୈଳମୂଲ୍ୟ ବ୍ୟାରେଲ ପିଛା ୨୦ ଡଲାରରୁ କମ୍‌ ହୋଇଗଲା, (ମାର୍ଚ୍ଚ ୨୦୨୦ରୁ ମେ ୨୦୨୦ ମଧ୍ୟରେ) କେନ୍ଦ୍ର ସରକାର ଅବକାରୀ ଶୁଳ୍କ ବୃଦ୍ଧି କରିଲା ବେଳେ ରାଜ୍ୟମାନେ ଭ୍ୟାଟ୍‌ ବୃଦ୍ଧି କରିଥିଲେ। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କକୁ ଲିଟର ପିଛା ଯଥାକ୍ରମେ ୨୩.୮୭ ଟଙ୍କା ଏବଂ ୨୮.୩୭ ଟଙ୍କା ବୃଦ୍ଧି କରିଥିଲେ l କେନ୍ଦ୍ର ଅବକାରୀ ଶୁଳ୍କ ପେଟ୍ରୋଲ ଲିଟର ପିଛା ୩୨ ଟଙ୍କା ୯୮ ପଇସା ଓ ଡିଜେଲ ଲିଟର ପିଛା ଟିକସ ୩୧ଟଙ୍କା ୮୩ ପଇସାରେ ପହଞ୍ଚିଥିଲା। ନଭେମ୍ବର ୨୦୨୧ ଏବଂ ମେ ୨୧ ହ୍ରାସ ସତ୍ତ୍ୱେ ୨୦୧୪ ତୁଳନାରେ କେନ୍ଦ୍ର ସରକାର ପେଟ୍ରୋଲ ପାଇଁ ଲିଟର ପିଛା ୧୦.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୨.୨୪ ଟଙ୍କା ଅଧିକ ଟିକସ ଆଦାୟ କରୁଛନ୍ତି l ଏହାର ଅର୍ଥ କେନ୍ଦ୍ର ଅଧିକ ବୃଦ୍ଧି କରିବା ପରେ କମ୍‌ ହ୍ରାସ କରି ବାହାବା ନେଉଛନ୍ତି। ଏଣୁ ୨୦୧୪ ତୁଳନାରେ କେନ୍ଦ୍ର ଯେତିକି ଅଧିକ ନେଉଛି ତାହା ହ୍ରାସ କରୁ। କେନ୍ଦ୍ର ସରକାରଙ୍କ ହ୍ରାସ ପରେ ଏବେ ରାଜ୍ୟ ସରକାରଗୁଡ଼ିକ ଭ୍ୟାଟ୍‌ ହ୍ରାସ କରିବା ନେଇ ଚାପ ପଡ଼ୁଛି। ଅଣଭାଜପା ଶାସିତ ରାଜ୍ୟ ରାଜସ୍ଥାନ(ପେଟ୍ରୋଲ ୨.୪୧, ଡିଜେଲ ୧.୩୬ ଟଙ୍କା), ମହାରାଷ୍ଟ୍ର (ପେଟ୍ରୋଲ ୨.୦୮, ଡିଜେଲ ୧.୪୪ଟଙ୍କା) ଓ କେରଳ (ପେଟ୍ରୋଲ ୨.୪୮, ଡିଜେଲ ୧.୧୬ଟଙ୍କା) ଭ୍ୟାଟ୍‌ ହ୍ରାସ କରିଥିବାବେଳେ ତାମିଲନାଡ଼ୁ ଓ ବିହାର ଭଳି ରାଜ୍ୟ ଭ୍ୟାଟ୍‌ ହ୍ରାସ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଓଡ଼ିଶା ସରକାର ଭ୍ୟାଟ୍‌ ହ୍ରାସ ସଂକ୍ରାନ୍ତରେ ଅନୁଧ୍ୟାନ କରୁଛନ୍ତି। ଯଦିଓ କେନ୍ଦ୍ର ପରି ରାଜ୍ୟର ଟିକସ ଆଦାୟ କରିବାର କ୍ଷମତା ସୀମିତ, ତଥାପି ରାଜ୍ୟମାନେ ମଧ୍ୟ ୨୦୧୪ ପରେ ଯେତିକି ପ୍ରତିଶତ ଭ୍ୟାଟ୍‌ ବୃଦ୍ଧି କରିଛନ୍ତି ତାହା ହ୍ରାସ କରନ୍ତୁ।
skmohapatra67@gmail.com
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri