କମାନ୍ତୁ ପେଟ ଚର୍ବି

ସାଧାରଣତଃ ମୋଟା ହେଲେ କିମ୍ବା ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କର ପ୍ରଥମେ ପେଟରେ ଚର୍ବି ଜମିବା ଆରମ୍ଭ ହୋଇଯାଏ। ଯାହାକି ଫିଗରକୁ ଖରାପ କରିଥାଏ। ହେଲେ ଏପରି ସମସ୍ୟା କମାଇ ନିଜକୁ ଏକ ଷ୍ଟାଇଲିସ୍‌ ତଥା ସୁନ୍ଦର ଲୁକ୍‌ ଦେବାକୁ ଚାହୁଁଥିଲେ ପ୍ରତିଦିନ କରନ୍ତୁ ଏହି ତିନୋଟି ଏକ୍ସରସାଇଜ୍‌…

ସୁପରମ୍ୟାନ୍‌ ପୋଜ୍‌: ମ୍ୟାଟ୍‌ ଉପରେ ପେଟ ମାଡ଼ି ଶୋଇପଡନ୍ତୁ। ନିଃଶ୍ୱାସ ଭିତରକୁ ଟାଣି ଦୁଇ ଗୋଡ଼, ଦୁଇ ହାତ ଏବଂ ମୁଣ୍ଡକୁ ଉପରକୁ ଉଠାନ୍ତୁ । କିଛି ସମୟ ରଖିବା ପରେ ଧୀରେ ଧୀରେ ନିଃଶ୍ୱାସ ଛାଡି ଗୋଡ଼, ହାତ, ମୁଣ୍ଡ ତଳକୁ କରନ୍ତୁ। ୧୫ଥର ଏହିପରି କରିବା ପରେ ଟିକେ ରିଲାକ୍ସ କରି ପୁଣି ୧୫ ଥର ଲେଖାଏ ୨ ଥର କରନ୍ତୁ। ଏହାଦ୍ୱାରା ପେଟ, ଅଣ୍ଟା, ଜଙ୍ଘ ଏବଂ ବାହୁରେ ଜମୁଥିବା ଚର୍ବି କମିଯିବ।
ପୁସ୍‌ଅପ୍‌: ଏକ୍ସରସାଇଜ୍‌ କରୁଥିବା ପ୍ରାୟ ସମସ୍ତେ ପୁସ୍‌ଅପ୍‌କୁ ପସନ୍ଦ କରନ୍ତି। କାରଣ ଏହାଦ୍ୱାରା ନା କେବଳ ପେଟର ଚର୍ବି କମିଥାଏ ବରଂ ପେଟ, ହାତ, ଗୋଡ଼ ଆଦିର ମାଂସପେଶୀ ମଜଭୁତ ହୋଇଥାଏ। ପ୍ରଥମେ ମ୍ୟାଟ୍‌ରେ ପେଟ ମାଡ଼ି ଶୋଇଯାନ୍ତୁ। ଦୁଇ ପାପୁଲି ଏବଂ ଗୋଡ଼ର ଅଙ୍ଗୁଳି ସାହାଯ୍ୟରେ ଶରୀରକୁ ଉପରକୁ ଉଠାନ୍ତୁ। ଧୀରେ ଧୀରେ କହୁଣି ବଙ୍କା କରି ଶରୀରକୁ ତଳକୁ ଖସାନ୍ତୁ ଏବଂ ପୁଣି ଉପରକୁ ଉଠାନ୍ତୁ। ଦିନକୁ ଅତି କମ୍‌ରେ ୩୦ଥର ପୁସ୍‌ଅପ୍‌ କରନ୍ତୁ। ପ୍ରଥମେ ୧୫ ଥର ଏବଂ ୩୦ ସେକେଣ୍ଡ ରିଲାକ୍ସ କରିବା ପରେ ପୁଣି ୧୫ଥର କରନ୍ତୁ।
ମାଉଣ୍ଟେନ କ୍ଲାଇମ୍ବର: ଏଥିରେ ମଧ୍ୟ ପ୍ରଥମେ ମ୍ୟାଟ୍‌ରେ ପେଟ ମାଡି ଶୋଇଯାଆନ୍ତୁ। ଦୁଇ ପାପୁଲି ଏବଂ ଗୋଡ଼ର ଆଙ୍ଗୁଳି ସାହାଯ୍ୟରେ ଶରୀରକୁ ଉପରକୁ ଉଠାନ୍ତୁ। ମନେରଖନ୍ତୁ କହୁଣି ଯେପରି ସମ୍ପୂର୍ଣ୍ଣ ସିଧା ରୁହେ । ଗୋଟିଏ ଗୋଡ଼ର ଆଣ୍ଠୁକୁ ଛାତି ପର୍ଯ୍ୟନ୍ତ ଆଣି ପୁଣି ପଛକୁ ନିଅନ୍ତୁ। ଅନ୍ୟ ଗୋଡ଼ର ଆଣ୍ଠୁକୁ ସେହିଭଳି ଛାତି ପର୍ଯ୍ୟନ୍ତ ଆଣି ପଛକୁ ନିଅନ୍ତୁ ଯେପରି ଆପଣ ପାହାଡ଼ ଚଢୁଛନ୍ତି। ଏହିପରି ୩୦ ଥର କରନ୍ତୁ।