କୋଭିଡ୍‌ କଟକଣା କୋହଳ କର: କେନ୍ଦ୍ର

ନୂଆଦିଲ୍ଳୀ, ୧୭।୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। କିଛି ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ଥିଲାବେଳେ କେତେକ ରାଜ୍ୟରେ ମାମଲାରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି। ତେବେ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କରୋନା କଟକଣା କୋହଳ କରିବା ପାଇଁ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖିଛନ୍ତି। ରାଜ୍ୟର ସଂକ୍ରମଣ ଗ୍ରାଫ୍‌କୁ ନଜରରେ ରଖି କଟକଣା କୋହଳ କିମ୍ବା ଏଥିରେ ପରିବର୍ତ୍ତନ କରିବା ପାଇଁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। କଟକଣା କାରଣରୁ ଯେଭଳି ଦେଶର ଆର୍ଥିକ ସଙ୍କଟ ନ ଦେଖାଯାଏ, ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ନିର୍ଦ୍ଦେଶ ଜାରି କରାଯାଇଛି। ଜାନୁୟାରୀ ୨୧ ତାରିଖରୁ କ୍ରମାଗତ ଦେଶରେ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭,୪୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସଂକ୍ରମଣ ହାର ୩.୬୩ ପ୍ରତିଶତ ଖସିଥିବା କହିଛନ୍ତି ସ୍ବାସ୍ଥ୍ୟ ସଚିବ। ସଂକ୍ରମଣ ହ୍ରାସକୁ ନଜରରେ ରଖି କେନ୍ଦ୍ର ସରକାର ନିକଟରେ ବିଦେଶ ଫେରନ୍ତାଙ୍କ ପାଇଁ ଲାଗୁ କଟକଣା କୋହଳ କରିଥିଲେ।

Share